ନୂଆଦିଲ୍ଲୀ: ବହୁ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ଜଡ଼ିତ ରହିଥିବାର କିଛି ଠୋସ୍ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ଦିନ ସକାଳେ ବଘେଲଙ୍କ ଭିଲାଇସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ପହଂଚି ଚୈତନ୍ୟଙ୍କୁ ଗିରଫ କରିଥିଲେ । ଚୈତନ୍ୟ ୨୧୦୦ କୋଟି ଟଙ୍କା ହେରଫେର୍ ମାମଲାରେ ଫସିଛନ୍ତି ।
ପିଏମ୍ଏଲ୍ଏ ଧାରା ୧୯ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଇଡି ପ୍ରଶ୍ନର ସିଧା ସିଧା ଜବାବ ନଦେଇ ଚୈତନ୍ୟ ଏକ ପ୍ରକାର ଅସହଯୋଗ କରିଥିଲେ । ଖାସ୍ ସେହି କାରଣରୁ ତାଙ୍କୁ ଗିରଫ କରିବାକୁ ପଡ଼ିଲା ବୋଲି କହିଛି ଇଡି । ବଘେଲଙ୍କ ଭିଲାଇ ବାସଭବନ ଚାରିପଟେ ବିପୁଳ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେଉଛି, ଚୈତନ୍ୟ ତାଙ୍କର ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ପରିଜନଙ୍କ ଗହଣରେ ଜନ୍ମଦିନ ପାଳନ କରୁଥିଲା ବେଳେ ପୁଲିସ ତାଙ୍କୁ ଗିରଫ କଲା ।