ଲିଭ୍‌-ଇନ୍‌-ଲ୍ୟାଣ୍ଡଲର୍ଡ: ଯୁବକଙ୍କ ସହ ରହୁଛନ୍ତି ୮୯ ବୟସ୍କା ମହିଳା

୮୯ ବୟସ୍କା ମହିଳାଙ୍କ ସହ ରହୁଛନ୍ତି ୨୭ ବର୍ଷୀୟ ଯୁବକ..

ଲଣ୍ଡନ: ଲଣ୍ଡନର ଜଣେ ୮୯ ବୟସ୍କା ମହିଳାଙ୍କ ସହ ରହୁଛନ୍ତି ୨୭ ବର୍ଷୀୟ ଯୁବକ । ପ୍ରଥମେ ପ୍ରଥମେ ଟିକେ ଅଡୁଆ ଲାଗୁଥିଲା । ମାତ୍ର ଦିନକେଇଟା ଭିତରେ ଦୁହିଁଙ୍କ ଭିତରେ ପରମ ବନ୍ଧୁତା । ଲଣ୍ଡନର ଗୋଟିଏ ସେବା ପ୍ରଦାନକାରୀ ସଂସ୍ଥା ‘ଶେୟାର ମାଇଁ ହୋମ୍‌’ ସ୍କିମ୍‌ ପରିଚାଳନା କରୁଛିି । ଯେଉଁ ସ୍କିମ୍‌ ଅନୁସାରେ ଲ୍ୟାଣ୍ଡଲର୍ଡ ବୟସ୍କ ପୁରୁଷ କି ମହିଳାଙ୍କ ସହ ଯୁବକ ଅବା ଯୁବତୀଙ୍କୁ ରହିବାକୁ ପଡ଼ିଥାଏ । ଏହାଦ୍ୱାରା ବୟସ୍କ ପୁରୁଷ କି ମହିଳାଙ୍କୁ ଉପଯୁକ୍ତ ସାଥୀଟିଏ ମିଳିଯାଏ, ପରିଣାମରେ ଯୁବକ ଅବା ଯୁବତୀଙ୍କୁ ମାଗଣାରେ ରହିବା ପାଇଁ ରୁମ୍‌ଟିଏ ମିଳିଯାଏ । ଅବଶ୍ୟ ଏଥିପାଇଁ ଯୁବସାଥୀଙ୍କୁ ତାଙ୍କ ଲ୍ୟାଣ୍ଡଲର୍ଡଙ୍କ ପାଇଁ କିଛି ସେବା କରିବାକୁ ପଡ଼ିଥାଏ ।

ମହଙ୍ଗା ସହର ଭାବେ ପରିଚିତ ଲଣ୍ଡନରେ ଘରଭଡ଼ା ନେଇ ରହିବା କାଠିକର ପାଠ । ଘରଭଡ଼ା ବୋଝରୁ ସାମାନ୍ୟ ଆଶ୍ୱସ୍ତି ପାଇବା ପାଇଁ ୨୭ ବର୍ଷୀୟ ଚିତ୍ରଶିଳ୍ପୀ ଲିୟାମ୍‌ ୮୯ ବୟସ୍କା ମହିଳା ଜନ୍‌ସନ୍‌ଙ୍କ ସହିତ ରହୁଛନ୍ତି । ରାଜିନାମା ମୁତାବକ ଜନ୍‌ସନ୍‌ ଲିୟାମଙ୍କୁ ରହିବା ପାଇଁ ରୁମ୍‌ଟିଏ ଦେଇଛନ୍ତି । ପରିଣାମରେ ଲିୟାମ୍‌ଙ୍କୁ ଦୈନିକ ଲ୍ୟାଣ୍ଡ୍‌ଲର୍ଡ ଜନ୍‌ସନ୍‌ ଓ ତାଙ୍କ କୁକୁର ପାଇଁ କିଛି ସେବା କରିବାକୁ ପଡୁଛି । ଏବେ ଜନ୍‌ସନ୍‌ ଓ ଲିୟାମ୍‌ ପରସ୍ପର ‘ଲିଭ୍‌-ଇନ୍‌-ଲ୍ୟାଣ୍ଡଲର୍ଡ’ରେ ରହୁଛନ୍ତି । ସେବା ପ୍ରଦାନକାରୀ ସଂସ୍ଥା ଲ୍ୟାଣ୍ଡଲର୍ଡଙ୍କ ମାନସିକ ଓ ଶାରିରୀକ ଆବଶ୍ୟକତା ମୁତାବକ ସାଥୀଟିଏ ଯୋଗାଡ଼ କରିଥାଏ ।

ଏବେ କଥା ଉଠୁଛି, ଭାରତରେ ଏଭଳି ଯୋଜନାର ଆବଶ୍ୟକତା ଜରୁରୀ ମନେହୁଏ । ଏଭଳି କିଛି ଯୁବକ ଯୁବତୀ ଅଛନ୍ତି ଯେଉଁମାନଙ୍କ ମାସିକ ରୋଜଗାର ବହୁତ କମ୍‌ । ସେତିକି ଭିତରେ ଘରଭଡ଼ା ଦେବା ସହିତ ନିଜର ଆବଶ୍ୟକତା ପୂରଣ ସାଙ୍ଗକୁ ପରିବାରକୁ ସାହାଯ୍ୟ କରିବା କଷ୍ଟକର । ଅନ୍ୟପକ୍ଷରେ ଭାରତରେ ଏପରି ସମ୍ଭ୍ରାନ୍ତ ପୁରୁଷ ଓ ମହିଳା ଅଛନ୍ତି ଯେଉଁମାନେ କୌଣସି କାରଣରୁ ନିଃସଙ୍ଗ ଜୀବନ କାଟୁଛନ୍ତି । ପରିଣତ ବୟସରେ ଦେହ ଅସୁସ୍ଥ ହେଲେ, ପାଖରେ ଜଣକର ଅଭାବ ଅନୁଭବ କରିଥାନ୍ତି ବୟସ୍କ ମହିଳା ଅବା ପୁରୁଷ । ଏ କ୍ଷେତ୍ରରେ ‘ଲିଭ୍‌-ଇନ୍‌-ଲ୍ୟାଣ୍ଡଲର୍ଡ’ର ଆବଶ୍ୟକତା ରହିଛି । ଏହି ଯୋଜନା ଜରିଆରେ ଉଭୟଙ୍କ ଅଭାବ ପୂରଣ ହୋଇପାରିବ ।

ଓଡ଼ିଶାର ଏକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଶେୟାର୍‌ ମାଇଁ ହୋମ୍‌’ ସ୍କିମ୍‌ ଯୋଜନାର ଶୁଭାରମ୍ଭ କରିବାକୁ ନିଷ୍ପତି ନେଇଛି । ଅବଶ୍ୟ ଏଥିପାଇଁ ଉଭୟ ହିତାଧିକାରୀଙ୍କୁ ସାମାନ୍ୟ ସେବା କର ପଇଠ କରିବାକୁ ପଡ଼ିବ ବୋଲି ସଂସ୍ଥାର ପରିଚାଳକ କହିଛନ୍ତି । ସଂସ୍ଥା କହିଛି, ଭାରତରେ ‘ଲିଭ୍‌-ଇନ୍‌-ରିଲେଶନ୍‌ସିପ୍‌’ ବ୍ୟବସ୍ଥା ନଥିଲା । କିନ୍ତୁ ସମୟର ଆବଶ୍ୟକତାକୁ ଅନୁଭବ କରି ଭାରତର ସୁପ୍ରିମକୋର୍ଟ ‘ଲିଭ୍‌-ଇନ୍‌-ରିିଲେଶନ୍‌ସିପ୍‌’ ଆଇନଗତ ସ୍ୱୀକୃତି ଦେଲେ । ଆଇନଗତ ସ୍ୱୀକୃତି ପାଇବା ପୂର୍ବରୁ ଭାରତରେ ‘ଲିଭ୍‌-ଇନ୍‌-ରିଲେଶନ୍‌ସିପ୍‌’ର ମୂଳଦୁଆ ପଡ଼ି ସାରିଥିଲା । ତେଣୁ ‘ଲିଭ୍‌-ଇନ୍‌-ଲ୍ୟାଣ୍ଡଲର୍ଡ’କୁ ଆଇନଗତ ସ୍ୱୀକୃତି ମିଳିବାକୁ ଅସୁବିଧା ହେବନି କାରଣ ଏହା ସମୟର ଆହ୍ୱାନ ।