ଚଳିତ ବର୍ଷ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀଗୁଡ଼ିକର ସଙ୍ଗମ ସ୍ଥାନରେ ଆୟୋଜିତ ମହାକୁମ୍ଭ ମେଳାରେ ଅଦ୍ୟାବଧି ୪୫ କୋଟିରୁ ଅଧିକ ଲୋକ ବୁଡ଼ ପକାଇ ସାରିଲେଣି । ପ୍ରତିବର୍ଷ ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇ ଆସୁଥିଲେ ମଧ୍ୟ କୌଣସି ବର୍ଷ ଏତେ ସଂଖ୍ୟକ ଲୋକଙ୍କ ସମାଗମ ଦେଖିବାକୁ ମିଳି ନଥିଲା ।
ପୌଷ ପୂର୍ଣ୍ଣମୀ (ଜାନୁଆରୀ ୧୩) ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ବହୁ ସାଧୁସନ୍ଥ, ଅଭିନେତା ଅଭିନେତ୍ରୀ, ରାଜନେତା, ବ୍ୟବସାୟୀଙ୍କ ସମାଗମ ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିବେଣୀ ସଙ୍ଗମରେ ଗାଧୋଇବା ପରଠାରୁ ଲୋକଙ୍କ ଗହଳି ଚହଳି ବଢ଼ି ଚାଲିଛି ।
ସମସ୍ତଙ୍କ ମନରେ ଗୋଟିଏ ଅଭିଳାଷ, ‘ବୁଡ଼ ପକାଇବେ, ଶରୀରରେ ଲାଗିଥିବା ପାପକୁ ଧୋଇବେ, ଶରୀର ଓ ଆତ୍ମାକୁ ପବିତ୍ର କରି ଘରକୁ ଯିବେ ।
୧୫ ଦିନ ପରେ ମହା ଶିବରାତ୍ରୀ (୨୬ ଫେବୃଆରୀ) । ତା’ ପୂର୍ବରୁ ୟୁପି ସରକାରଙ୍କ ରିପୋର୍ଟ ମୁତାବକ ପ୍ରୟାଗରାଜରେ ୪୫ କୋଟି ଲୋକ ବୁଡ଼ ପକାଇଲେଣି । ଆଗାମୀ ୧୫ ଦିନର ତୀର୍ଥଯାତ୍ରୀଙ୍କୁ ତାଲିକାଭୁକ୍ତ କଲେ, ଶ୍ରଦ୍ଧାଳୁଙ୍କ ସଂଖ୍ୟା ନିଶ୍ଚିତ ରୂପେ ୬୦ କୋଟି ଟପିଯିବ ।