କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଲା

ମୁମ୍ବାଇ: ମହାରାଷ୍ଟ୍ର ଭିୱଣ୍ଡିରେ କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏନେଇ ଥାଣେ ମହାନଗର ନିଗମ ସୂଚନା ଦେଇଛି। ସୋମବାର ଭୋର ୩.୪୦ ଏହି ତିନି ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା।

ଏହି କୋଠାଟି ପ୍ରାୟ ୪୩ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଏଥିରେ ୪୦ଟି ଫ୍ଲାଟ ରହିଥିଲା ଏବଂ ମୋଟ ୧୫୦ ଲୋକ ଏହି ଅଟ୍ଟାଳିକାରେ ରହୁଥିଲେ। ତେବେ ମହାନଗର ନିଗମର କହିବାନୁଯାୟୀ ଏହି କୋଠାଟି ବିପଦଜନକ ତାଲିକାରେ ନଥିଲା।

ଭିୱଣ୍ଡି ଡିସିପି ରାଜକୁମାର ସିନ୍ଦେଙ୍କ କହିବାନୁଯାୟୀ ଅଟ୍ଟାଳିକାର ମାଲିକ ସୟଦ ଅହମ୍ମଦ ଜିଲାନିଙ୍କ ନାଁରେ ଆଇପିସିର ଧାରା ୩୩୭,୩୩୮ ଏବଂ ୩୦୪ ଆଧାରରେ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ ଏହି ଅଘଟଣକୁ ନେଇ ଦୃଖଃପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟ୍ୱିଟରରେ ଲେଖିଛନ୍ତି, ‘ମହାରାଷ୍ଟ୍ରର ଭିୱଣ୍ଡିରେ କୋଠା ଭୁଶୁଡ଼ି ଅନେକ ପ୍ରାଣ ହରାଇବା ଅତ୍ୟନ୍ତ କଷ୍ଟଦାୟକ ଘଟଣା। ଦୁଃଖର ଏହି ଘଡ଼ିରେ, ମୋର ସମବେଦନା ଏବଂ ପ୍ରାର୍ଥନା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସହିତ ଅଛି । ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ସ୍ଥାନୀୟ କର୍ତ୍ତୃପକ୍ଷ ସମନ୍ୱୟ କରୁଛନ୍ତି’।

ସେହିଭଳି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ମହାରାଷ୍ଟ୍ରର ଭିୱଣ୍ଡିରେ କୋଠା ଭୁଶୁଡ଼ିବାରେ ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି’।

ମାସେ ତଳେ ମହାରାଷ୍ଟ୍ରର ରାଇଗଡ଼ରେ ସମାନଭାବେ ଏକ ପାଞ୍ଚ ମହଲା ବିଲ୍ଡିଂ ଭୁଶୁଡ଼ି ୧୩ ଜଣଙ୍କର ଜୀବନ ଯାଇଥିଲା। ଯେଉଁଥିରେ କି ୪୫ଟି ଫ୍ଲାଟ ରହିଥିଲା ଏବଂ ତାହା ମାତ୍ର ୭ ବର୍ଷ ପୁରୁଣା ଥିଲା। ତେବେ ବର୍ଷା ଦିନେ ବହୁତ ପାଣି ଜମିବା ଯୋଗୁଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ କୋଠା ଭୁଶୁଡ଼ିବା ଘଟଣା ଲଗାତାର ସାମ୍ନାକୁ ଆସୁଛି।