ଅମିତାଭ ବଚ୍ଚନଙ୍କ ଘର ଆଗରେ ପୋଲିସ

ମୁମ୍ବାଇ: ସଂସଦରେ ଜୟା ବଚ୍ଚନଙ୍କ ବୟାନକୁ ନେଇ ସୋସିଆଲ୍ ମିଡ଼ିଆରେ ବାକ୍ ଯୁଦ୍ଧ ତେଜିଛି। କିଛି ତାଙ୍କ ସପକ୍ଷରେ ବାହାରିଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ବଚ୍ଚନ ପରିବାରର ସୁରକ୍ଷା ବଢ଼ାଇଛନ୍ତି ମହାରାଷ୍ଟ୍ର ସରକାର। ଜୁହୁ ସ୍ଥିତ ଅମିତାଭ୍ ବଚ୍ଚନଙ୍କ ବଙ୍ଗଳା ‘ଜଲସା’ ଆଗରେ ମୁତୟନ ହୋଇଛନ୍ତି ପୋଲିସ କର୍ମୀ।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟିରୁ ରାଜ୍ୟ ସଭା ସାଂସଦ ଥିବା ଜୟା ବଚ୍ଚନ ବଲିଉଡ଼ର ଛବି ବିଗାଡ଼ିବାକୁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରି ସଂସଦରେ ଗତକାଲି ଖୁବ୍ ବର୍ଷିଥିଲେ। ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସେ ପରୋକ୍ଷରେ ଟାର୍ଗେଟ କରି କହିଥିଲେ କି ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛିଦ୍ର କରୁଛନ୍ତି। କିଛି ଲୋକଙ୍କ ପାଇଁ ସମଗ୍ର ଇଣ୍ଡଷ୍ଟ୍ରିକୁ ନର୍ଦ୍ଦମା କୁହାଯାଇପାରିବ ନାହିଁ ବୋଲି କହିବା ସହ ସେ ସାଂସଦ ତଥା ଅଭିନେତା ରବି କିଶନଙ୍କ ମନ୍ତବ୍ୟକୁ ଖଣ୍ଡନ କରିଥିଲେ।

ବିଜେପି ସାଂସଦ ରବି କିଶନ ସୋମବାର ଅଧିବେଶନ ଆରମ୍ଭରେ ବଲିଉଡ଼୍ ଡ୍ରଗସ୍ ଲିଙ୍କ କଥା ଉଠାଇଥିଲେ। ନିଶା କାରବାର ଯୋଗୁଁ ଇଣ୍ଡଷ୍ଟ୍ରି ନର୍ଦ୍ଦମା ହୋଇସାରିଥିବା ସେ ମତ ରଖିଥିଲେ। ଏବଂ ଏନେଇ ଅଧିକ ତଦନ୍ତ ପାଇଁ ଦାବି କରିଥିଲେ। ତେବେ ଜୟା ବଚ୍ଚନ ପରଦିନ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ଯେଉଁଥିପାଇଁ ତାଙ୍କୁ ଆଜି ସାମନାରେ ମଧ୍ୟ ପ୍ରଂଶସା କରିଛି ଶିବସେନା। ଅନ୍ୟପଟେ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ଜୟାଙ୍କ କଥାର ସମର୍ଥନ କରି କହିଛନ୍ତି କିଛି ଲୋକଙ୍କ ପାଇଁ ସମସ୍ତଙ୍କୁ ବଦନାମ କରାଯାଇ ପାରିବନାହିଁ।