ଦିଲ୍ଲୀରୁ ଧରାପଡ଼ିଲେ ୫ ଆତଙ୍କବାଦୀ-shaksi news

ନୂଆଦିଲ୍ଲୀ: ଧରାପଡ଼ିଛି ଭାରତ ବିରୋଧରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ କରୁଥିବା ଆଉ ଏକ ଷଡ଼ଯନ୍ତ୍ର । ଆଜି ଦିଲ୍ଲୀ ପୁଲିସ୍‌ ସହ ଗୁଳି ବିନିମୟ ପରେ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହାକୁ ନେଇ ପାକିସ୍ତାନର ଅସଲ ମୁଖା ଖୋଲି ଯାଇଛି। କାରଣ ଆଇଏସଆଇ ନିର୍ଦ୍ଦେଶରେ ସେମାନେ ଦିଲ୍ଲୀରେ ପହଞ୍ଚିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

ଆଜି ସକାଳେ ୫ ଜଣ ଯୁବକ ସନ୍ଦିଗ୍ଧ ଗୋଟିଏ କାର୍‌ରେ ଦିଲ୍ଲୀର ଶକରପୁର ଅଞ୍ଚଳରେ ବୁଲୁଥିଲେ।ଏମାନଙ୍କ ଉପରେ ପୋଲିସର ସନ୍ଦେହ ଇବାରୁ ଏମାନଙ୍କୁ ଧରିବାକୁ ଚେଷ୍ଟା କଲା ବେଳେ ସେମାନେ ଗୁଳିମାଡ଼ କରିଥିଲେ। ପୁଲିସ୍‌ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସମସ୍ତଙ୍କୁ ପୁଲିସ୍‌ କାବୁ କରିବାରେ ସଫଳ ହୋଇଛି।

ଗିରଫ ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ପଞ୍ଜାବର ଓ ୩ ଜଣ କଶ୍ମୀରର ଯୁବକ ରହିଛନ୍ତି। ସେମାନଙ୍କ ନିକଟରୁ ଜମ୍ମୁ-କଶ୍ମୀରର ନମ୍ବର ଥିବା କାର ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ପକ୍ଷରୁ କୁହାଯାଇଛି ଯେ ନାର୍କୋ ଟେରୋରିଜିମ ପାଇଁ ଆଇଏସଆଇ ଏମାନଙ୍କୁ ସହାୟତା କରୁଥିଲା। ତେବେ ଏହି ସଂଗଠନର ନାଁ ଜଣାପଡ଼ିନାହିଁ।

ତେବେ ଏହି ୫ ଯୁବକ କେବଳ ନିଶା କାରବାର କରିବାରେ ସାମିଲ ଥିଲେ ନାଁ କୌଣସି ବଡ଼ ଆକ୍ରମଣ ଯୋଜନାରେ ଦିଲ୍ଲୀକୁ ଆସିଥିଲେ, ତାହା ଜଣାପଡ଼ିନାହିଁ। ପୁଲିସ୍‌ ସମସ୍ତଙ୍କୁ ଗିରଫ କରି ଜେରା ଆରମ୍ଭ କରିଛି। ଘଟଣା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ବର୍ତ୍ତମାନ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏଠାରେ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହେବା ଏକ ଚିନ୍ତାର ବିଷୟ ପାଲଟିଛି ।