ନୂଆଦିଲ୍ଲୀ : କର୍ଣ୍ଣାଟକରେ ହିଜାବ ବିବାଦ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମଲାଲା ୟୁସୁଫଜାଇ । ଏବେ ଏହି ହିଜାବ ବିବାଦ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ହିଜାବ ପିନ୍ଧିଥିବାରୁ ମୁସଲିମ ଝିଅମାନଙ୍କୁ କଲେଜ କ୍ୟାମ୍ପସରେ ବସିବାକୁ ଅନୁମତି ମିଳୁନାହିଁ । ଯାହାକୁ ନେଇ ଏବେ ସାରା ଦେଶରେ ବିବାଦ ଦେଖାଦେଇଛି । ସେହିପରି ହିଜାବକୁ ବିରୋଧ କରି କିଛି ଶିକ୍ଷାର୍ଥୀ ଗେରୁଆ ସ୍କାର୍ଫ ମଧ୍ୟ ପିନ୍ଧି କଲେଜ ଆସୁଛନ୍ତି । ଏହି ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ସମସ୍ତ ସ୍କୁଲକୁ ୩ ଦିନ ବନ୍ଦ ଘୋଷଣା କରିଛନ୍ତି । ତେବେ ଏହାରି ଭିତରେ ଝିଅମାନଙ୍କ ଶିକ୍ଷା ଅଧିକାର ଦିଗରେ ଲଢେଇ କରୁଥିବା ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ କହିଛନ୍ତି ଯେ, ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ଯିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ।
ଅନ୍ୟପକ୍ଷରେ ମହିଳାମାନଙ୍କ କମ ଓ ଅଧିକ ପୋଷାକ ପରିଧାନକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି । ଭାରତର ନେତାମାନେ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ଏପରି ଉପେକ୍ଷାକୁ ବନ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।