ମାଲେଗାଁଓ ବୋମା ବିସ୍ଫୋରଣ ମାମଲା: ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ସବୁ ଅଭିଯୁକ୍ତ ଖଲାସ

ବୁଧବାର ଦିନ ୨୦୦୮ ମାଲେଗାଁଓ ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ମୁମ୍ବାଇର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଓ ଲେଫ୍ଟନାଂଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସବୁ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି । ୨୦୦୮ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ମାଲେଗାଁଓ ସିଟିର ଏକ ମସଜିଦ ଅଂଚଳରେ ଗୋଟିଏ ମୋଟର ସାଇକେଲରେ ଶକ୍ତିଶାଳୀ ଡିଭାଇସ୍ ଖଞ୍ଜି ଦିଆଯାଇ ବଡ଼ ଧରଣର ବିସ୍ଫୋରଣ କରାଯାଇଥିଲା ।

ହିନ୍ଦୁ ଧାର୍ମିକ ସଂଗଠନ ପକ୍ଷରୁ ଏଭଳି ନାରକୀୟ କାଣ୍ଡ ଘଟା ଯାଇଥିବା କଥା ଗଣମାଧ୍ୟମରେ ପରିବେଷଣ କରାଯାଇଥିଲା । ଉକ୍ତ ହମଲାରେ ୬ ଜଣ ଲୋକ ପ୍ରାଣ ହରାଇଥିଲେ । ଅନେକ ଲୋକ ଘାଇଲା ହୋଇଥିଲେ । ସଂପୃକ୍ତ ମାମଲାର ମୁଖ୍ୟ କାର୍ପଟଦାର ଭାବେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଅଭିଯୁକ୍ତ କରାଯାଇଥିଲା । ସାଧ୍ୱୀ ପ୍ରଜ୍ଞା ଠାକୁର ୨୦୧୯ ନିର୍ବାଚନରେ ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ଲଢ଼ି ଲୋକସଭାକୁ ଯାଇଥିଲେ । ଉକ୍ତ ମାମଲାର ତଦନ୍ତ କରି ପୁଲିସ ଯୋଉ ସାକ୍ଷୀ ଓ ପ୍ରମାଣ ସମେତ ଅଭିଯୋଗ ଫର୍ଦ୍ଦ ତିଆରି କରିଥିଲା । ସେଗୁଡ଼ିକ ଭିତରୁ କୌଣସି ଗୋଟିଏ ତଥ୍ୟ କୌଣସି ଜଣେ ଅଭିଯୁକ୍ତଙ୍କୁ ଦୋଷୀ ରୂପେ ସାବ୍ୟସ୍ତ କରି ପାରିଲାନି ।

କୋର୍ଟ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପିଛା ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଆଦେଶ ପ୍ରଦାନ କରିଚନ୍ତି । କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ବାଇକରେ ବୋମା ଖଞ୍ଜା ଯାଇଥିବା କଥାର କୌଣସି ପ୍ରମାଣ ନାହିଁ । ଅଭିଯୁକ୍ତ ଶ୍ରୀକାନ୍ତ ପ୍ରସାଦ ପୁରୋହିତଙ୍କ ଘରେ ବିସ୍ଫୋରକ ଡିଭାଇସ୍ ତିଆରି କରାଯାଇଥିବା କଥା ମଧ୍ୟ ମିଛ । ବିସ୍ଫୋରଣର ଶିକାର ହୋଇଥିବା ବାଇକର ଚେସିସ୍ ନମ୍ବର ଦୃଷ୍ଟି ଗୋଚର ହେଉ ନଥିଲା । ଇଞ୍ଜିନ ନମ୍ବର ସନ୍ଦେହଜନକ ଥିଲା । ବାଇକର ମାଲିକ ପ୍ରଜ୍ଞା ଠାକୁର ବୋଲି କୌଣସି ପ୍ରମାଣ ମିଳିଲାନି ।