କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ଜାମିନ ଆବେଦନକୁ ଇଡି ପ୍ରତିବାଦ କରିଛି । ଇଡି କହିଛି ଯେ ଦୁଇ ଅଭିଯୁକ୍ତଙ୍କ ମୁଣ୍ଡରେ ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଦୀର୍ଘ ୫୩ ଧରି ଜେଲରେ ରହିବା ସତ୍ୱେ ପାର୍ଥଙ୍କ ମୁହଁରୁ ସବୁ ସତ ବାହାରି ନାହିଁ । ଇଡିର ତଦନ୍ତ କାର୍ଯ୍ୟରେ ପାର୍ଥ ସଂପୂର୍ଣ୍ଣ ସହଯୋଗ କରୁନାହାନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବହୁତ ଭରସା କରୁଥିବା ନେତା ପାର୍ଥ ଏବେ ଚାରିଦଉଡ଼ି କଟା ଜୀବନ ବିତାଉଛନ୍ତି ।
ପାର୍ଥଙ୍କ ମୁଣ୍ଡ ଉପରୁ ହାତ ଖସାଇ ନେଇଛନ୍ତି ମମତା । ପାର୍ଥଙ୍କୁ ଜାବୁଡ଼ି ଧରିଲେ ନିଜେ ଫସିଯିବାର ଭୟ ରହିଥିବାରୁ ମମତା ଏପରି ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଜି ନିମ୍ନ ଅଦାଲତରେ ଜାମିନ ଆବେଦନର ଶୁଣାଣି ଚାଲିଥିଲା ବେଳେ ଅନ୍ୟତମ ଅଭିଯୁକ୍ତ ଅର୍ପିତା ମୁଖାର୍ଜୀ ବିଚାରପତିଙ୍କୁ ଅନାଇ ଛୋଟପିଲାଙ୍କ ପରି କାନ୍ଦିକାନ୍ଦି କହିଥିଲେ ଯେ ତାଙ୍କ ଫ୍ଲାଟରେ ଏତେ ଟଙ୍କା କୁଆଡୁ ଆସିଲା, ସେ ନିଜେ ଜାଣିନାହାନ୍ତି । ଇଡି ଆଗରେ କହିବେ କ’ଣ? କୋର୍ଟରେ ଏକ ସତ୍ୟପାଠ ଦାଖଲ କରି ପାର୍ଥ କହିଛନ୍ତି ଯେ ତାଙ୍କୁ ରାଜନୈତିକ ମାୟାଜାଲରେ ଫସାଇ ଦିଆଯାଇଛି ।
ସେ ମନ୍ତ୍ରୀ ହେବା ପୂର୍ବରୁ ବିପକ୍ଷ ଦଳର ନେତା ଥିଲେ । ଇଡି ତାଙ୍କ ବଙ୍ଗଳାରେ ୨୪ ଘଂଟାରୁ ଅଧିକ ସମୟ ତନାଘନା କରିଥିଲେ ମଧ୍ୟ କିଛି ପାଇନାହିଁ । ତେଣୁ ତାଙ୍କୁ ଜାମିନ ଦିଆଯାଉ । ତାଙ୍କୁ ଶାନ୍ତିରେ ରହିବାକୁ ଦିଆଯାଉ । ପାର୍ଥ ପୁଣି କହିଛନ୍ତି ଯେ ସେ ଏ ଯାଏ ଇଡିକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ସହଯୋଗ କରିବେ । ସେ ଟଙ୍କାଟିଏ ଖାଇ ନାହାନ୍ତି । ସେ ନିଜେ ଆଇନର ଛାତ୍ର ଥିଲେ । ବ୍ରିଟିଶ ଶାସନ କାଳରେ ସେ ସ୍କଲାରସିପ୍ ପାଉଥିଲେ ।
ସୂଚନାଯୋଗ୍ୟ, ୨୩ ଜୁଲାଇ ଓ ୨୮ ଜୁଲାଇରେ ଅର୍ପିତାଙ୍କ ଫ୍ଲାଟ ଉପରେ ଚଢ଼ଉ କରି ଇଡି ନଗଦ ୪୯ କୋଟି ଟଙ୍କା ଜବତ କରିଥିଲା । ଇଡି ଆଗରେ ଅର୍ପିତା କହିଥିଲେ ଯେ ଜବତ ଟଙ୍କାଗୁଡ଼ିକ ତାଙ୍କର ନୁହେଁ । ସବୁ ଟଙ୍କା ପାର୍ଥଙ୍କର । ମାତ୍ର ଜବତ ଟଙ୍କା ବିଷୟରେ ପାର୍ଥ କିଛି ଜାଣନ୍ତି ନାହିଁ ବୋଲି ଇଡି ଆଗରେ କହିଛନ୍ତି ।