ମନ୍ଧାନାଙ୍କ କୀର୍ତ୍ତିମାନ: ଶତକ ମାରିବାରେ ପ୍ରଥମ ଭାରତୀୟ

କୁଇନ୍ସସଲାଣ୍ଡ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଚଳିତ ଡବ୍ଲ୍ୟୁବିବିଏଲ୍‌ ଆଉଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଶତକ ହାସଲ କରିବାରେ ସେ ହେଲେ ପ୍ରଥମ ଭାରତୀୟ । ସିଡ୍‌ନି ଥଣ୍ଡର ପକ୍ଷରୁ ଖେଳୁଥିବା ମାନ୍ଧାନା ମେଲ୍‌ବର୍ଣ୍ଣ ରେନିଗେଡ୍‌ସ ବିପକ୍ଷ ମ୍ୟାଚରେ ଶତକୀୟ ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ସେ ୧୧୪ ରନ କରିବା ସହ ଅପରାଜିତ ରହିଥିଲେ । ରେନିଗେଡସ ବିପକ୍ଷରେ ଟସ ଜିତି ଥଣ୍ଡର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରେନିଗେଡସ ଅନ୍ୟତମ ଭାରତୀୟ ଓପ୍‌ନର ଜେମିମା ରୋଦ୍ରିଗ୍‌ବେଜ ଓ କାର୍ଲି ଲିସନଙ୍କୁ ସଅଳ ହରାଇଥିଲା । ତେବେ ଇଭେଲିନ୍‌ ଜୋନ୍‌ସ ଏବଂ ଭାରତୀୟ ଦଳର ଟି-୨୦ ଅଧିନାୟିକା ହର୍‌ମନ୍‌ପ୍ରୀତ କୌର ତୃତୀୟ ୱିକେଟରେ ୯୧ ରନ ଯୋଡି ସ୍ଥିତି ସୁଧାରିଥିଲେ । ହର୍‌ମନ୍‌ପ୍ରୀତ ୫୫ ବଲରୁ ଅପରାଜିତ ୮୧ (୧୧ ଚୌକା, ୨ ଛକା) ରନ୍‌ କରିବାରୁ ଦଳ ୧୭୫/୪ରେ ପହଞ୍ଚି ଯାଇଥିଲା । ପରେ ହର୍‌ମନ୍‌ପ୍ରୀତ ମଧ୍ୟ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ୬୪ ବଲ୍‌ରୁ ମାନ୍ଧାନାଙ୍କ ଅପରାଜିତ ୧୧୪ (୧୪ ଚୌକା ଓ ୩ ଛକା) ରନ ସତ୍ତେ୍ୱ ଥଣ୍ଡର ଦଳ ୬ ରନରେ ମ୍ୟାଚ୍‌ ହାରିଯାଇଥିଲା । ଏହି ବିଜୟରେ ରେନିଗେଡସ ପଏଣ୍ଟ ତାଲିକାର ଦ୍ୱିତୀୟରେ ରହିଥିଲା ବେଳେ ଥଣ୍ଡର ସପ୍ତମ ସ୍ଥାନକୁ ଖସିଛି ।