୧୭ ମାସ ପରେ ଜେଲରୁ ବାହାରିବେ ମନୀଷ ସିସୋଦିଆ

ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କରୁ ବଡ଼ ଆଶ୍ୱସ୍ତି ମିଳିଛି । ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ୩ ଦିନ ପୂର୍ବେ ଶୁଣାଣି ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଜାମିନ୍ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବେଲ୍‌ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ଏକ ସୁରକ୍ଷିତ ଖେଳ ଖେଳୁଛନ୍ତି । ଦଣ୍ଡ ଦେବା ପାଇଁ ଜାମିନ ନାମଞ୍ଜୁର ହୋଇପାରିବ ନାହିଁ। ବର୍ତ୍ତମାନ ସମୟ ଆସିଛି କୋର୍ଟ ବୁଝିବା ଉଚିତ ଯେ, ଜାମିନ ଏକ ନିୟମ ଏବଂ ଜେଲ ଏକ ଅପବାଦ ।

ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପ୍ରଥମଟି ହେଉଛି ତାଙ୍କୁ ୧୦ ଲକ୍ଷ ଟଙ୍କା ବଣ୍ଡ ଦେବାକୁ ପଡିବ । ଏହା ବ୍ୟତୀତ ସେମାନଙ୍କୁ ଦୁଇଟି ଜାମିନଦାର ଉପସ୍ଥାପନ କରିବାକୁ ପଡିବ । ତେବେ ତୃତୀୟ ସର୍ତ୍ତ ହେଉଛି ସେ ନିଜ ପାସପୋର୍ଟ କୋର୍ଟ ପାଖରେ ସରେଣ୍ଡର କରିବେ ।

ସୂଚନା ଅନୁସାରେ, ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଅଭିଯୋଗରେ ୨୦୨୩ ଫେବ୍ରୁଆରି ୨୬ରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । CBI ୭ରୁ ୮ ଘଣ୍ଟା ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା ।ପୂର୍ବରୁ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌ ହୋଇଥିଲା । ଗତ ୨୦୨୩ ଜୁଲାଇ ୭ରେ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି । ଏଥି ସହ ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି । ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ୨ଟି ବିଲ୍ଡିଂ ଆଟାଚ ହୋଇଥିବା ବେଳେ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍‌ କରାଯାଇଥିଲା ।