ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୨ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସଂସ୍କରଣରେ ସେ ଦେଶ-ବିଦେଶର ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଜଣ ଓଡିଆଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ସେ ଯେଉଁ ଦୁଇ ଜଣ ଓଡିଆଙ୍କୁ ପ୍ରଶଂସା କରିଛନ୍ତି, ସେମାନେ ହେଲେ ସମ୍ବଲପୁରର ସୁଜାତା ଭୂୟାଁ ଏବଂ କେନ୍ଦ୍ରାପଡାର ଓମ୍ ପ୍ରକାଶ ରଥ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଜାତା ଭୂୟାଁଙ୍କ ନାମ ନେଇ ମହିଳା ସଶକ୍ତୀକରଣର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ସୁଜାତା ଜଣେ ଗୃହିଣୀ। କିନ୍ତୁ ସେ କିଛି ଭିନ୍ନ କାମ କରିବା ସହିତ ପରିବାରର ଉନ୍ନତିରେ ଭାଗିଦାରୀ ହେବାକୁ ଚିନ୍ତା କରିଥିଲେ। ଏଥିପାଇଁ ସେ କିଛି ବର୍ଷ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରେ ଫିସ୍ ଫାର୍ମିଂ (ମତ୍ସ୍ୟ ପାଳନ) ଆରମ୍ଭ କରିଥିଲେ। କିନ୍ତୁ ସୁଜତାଙ୍କର ଏହି ଯୋଜନା ସହଜ ନଥିଲା। କାରଣ ପାଣିପାଗ ଏବଂ ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ସେ ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ମତ୍ସ୍ୟପାଳନ କରିବା ଏବଂ ପରିବାରର ଦାୟିତ୍ୱ ତୁଲାଇବା ମଧ୍ୟରେ ସେ କଠିନ ସମୟର ସାମ୍ନା କରିଥିଲେ।
ମାତ୍ର ଏସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେ ତାଙ୍କର ଆଶାକୁ ଦୁଇରୁ ତିନି ବର୍ଷ ମଧ୍ୟରେ ସଫଳତାର ଶୀର୍ଷରେ ପହଂଚାଇଥିଲେ। ତାଙ୍କର ସଫଳତା ଆଜିର ଦିନରେ ସମାଜର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ କି ବାତ’ରେ ସମ୍ବଲପୁର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଂଶସା କଲେ। ସମ୍ବଲପୁର ମୁଦିପଡାର ଖଓଉ କଲୋନୀ ମହିଳା ଚାଷୀ ସୁଜାତା ଭୂୟାଁଙ୍କ ପ୍ରଶଂସା ହୀରାକୁଦ ଜଳଭଣ୍ଡାରରେ ୩ଟି କେଜ୍ କଲଚର ପଦ୍ଧତିରେ ସଫଳତା ସହ ମତ୍ସ୍ୟ ଚାଷ କରିଛନ୍ତି। ଫଳରେ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି।
ସୁଜାତା କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ନାଁ ନେଇ ଥିବାରୁ ସେ ବହୁ ଖୁସି ହୋଇଥିବା ବେଳେ ଏନେଇ ସେ ପ୍ରଧାନମନ୍ତ୍ରୀ ତଥା ମତ୍ସ୍ୟ ବିଭାଗକୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ର ସରକାର ପକ୍ଷରୁ ଋଣ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ସହାୟତା ମିଳି ଥିବାରୁ ଆଜି ସେ ସଫଳ ହୋଇଥିବା କହିଛନ୍ତି। ୨୦୨୨ ମସିହାରୁ ମତ୍ସ୍ୟ ଚାଷ ଆରମ୍ଭ କରିଥିବା ବେଳେ ପ୍ରଥମ ବର୍ଷରେ ସେ ୬ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ଅନେକ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବର୍ତମାନ ସେ ତେଲପିଆ ମାଛ ଚାଷ କରିଥିବା ମାଛ ଉତ୍ପାଦନ କରୁଛନ୍ତି। ସୁଜାତା ଜଣେ ଗୃହିଣୀ ହୋଇ ହୀରାକୁଦ ଜଳଭଣ୍ଡାରରେ ପହଂଚି ମାଛ ଚାଷ ଓ ପରିବାର ପରିପୋଷଣକୁ ମୋଦୀ ପ୍ରଶଂସା କରିଛନ୍ତି। ବର୍ଷକୁ ୨୫ ରୁ ୩୦ ଟନ୍ ମାଛ ଉତ୍ପାଦନ ହେଉଥିବା ବେଳେ ବର୍ତମାନ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗକୁ ମାଛ ରପ୍ତାନୀ ହେଉଛି। ଯାହାକି ସୁଜାତାଙ୍କୁ ବର୍ତମାନ ସ୍ୱାବଲମ୍ବୀ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶରେ ଯୁବଗୋଷ୍ଠୀଙ୍କ ଚିନ୍ତାଧାରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରିଛନ୍ତି। ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ି ଦେଶ ବିକାଶ ପାଇଁ ପରାମର୍ଶ ଦେଉଛନ୍ତି। ଏହା ମୋତେ ବହୁତ ଖୁସି ପ୍ରଦାନ କରୁଛି। ଦେଶ ବିକାଶ ନେଇ ସେ କହିଛନ୍ତି, ଯୁବଗୋଷ୍ଠୀର ଉଦ୍ୟମରେ କୃଷି, ମହିଳା ସଶକ୍ତିକରଣ ଏବଂ ପରିବେଶର ବିକାଶ ହୋଇପାରିବ। ଏସବୁ କ୍ଷେତ୍ରରେ ତେଲେଙ୍ଗାନାର ସୂର୍ଯ୍ୟପେଟା ନିକଟ କୋଟଲା ରଘୁବୀର ରେଡ୍ଡୀ, ଉତର ପ୍ରଦେଶର ବାରବାଙ୍କିର ସୌରଭ ବୈଶ୍ୱର ଓ ବିହାରର ଗୋପାଳଗଂଜର ସୁମିତ କୁମାରଙ୍କ ନାମ ନେଇଛନ୍ତି। ଏମାନେ କୃଷକ କଲ୍ୟାଣ ଉପରେ ସେମାନଙ୍କର ଚିନ୍ତାଧାରା ଉପସ୍ଥାପନ କରିଥିଲେ।
ସେହିପରି ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଓମ୍ ପ୍ରକାଶ ଏବଂ ପଂଜାବର ମୋହାଲିର ଆଂଚଲ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉପାୟ ପରାମର୍ଶ ଦେଇଥିଲା ବେଳେ ହରିୟାଣାର ଯମୁନାନଗର ନିବାସୀ ପ୍ରଥମ ବରାର ଏକ ସବୁଜ ଏବଂ ସ୍ୱଚ୍ଛ ଭାରତ ହେଉଛି ଏକ ସମୃଦ୍ଧ ଭାରତର ପଥ ବୋଲି ବାର୍ତା ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।