ମାନୁନି ଯମୁନା: ମୋଦି-କେଜ୍ରିୱାଲ ଜଳବନ୍ଦୀ

‘ଜଳବିହୁନେ ସୃଷ୍ଟିନାଶ, ଜଳବହୁଳେ ସୃଷ୍ଟିନାଶ’ । ଗ୍ରୀଷ୍ମଋତୁର ନିଦାଘ ଖରା ଯେମିତି ଦେଶକୁ ଅଥୟ କରିଥିଲା । ବର୍ଷାଋତୁର ଅକାତ କାତ ପାଣି ଏବେ ଦେଶର ଉତର ଭାଗକୁ ଅଥୟ କରିଛି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଏବେ ଦିଲ୍ଲୀ ଓ ନୂଆଦିଲ୍ଲୀକୁ କବଳିତ କରିବାକୁ ବସିଛି । ଆସନ୍ନ ବନ୍ୟା ଆଶଙ୍କାରେ ତଳିଆ ଅଂଚଳର ଲୋକମାନେ ପିଲାଛୁଆଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି ।

ସରକାରୀ ସ୍ତରରେ କୁହାଯାଇଛି, ୧୯୭୮ ସେପ୍ଟେମ୍ବର ୬ ତାରିଖରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ଇଲାକାରେ ଅଚାନକ ବନ୍ୟାପାଣି ପଶିଥିଲା । ଲୋକମାନେ ଜୀବନ ବିକଳରେ ଘରକୁ ଯାଇ ଜିନିଷପତ୍ର ଉଠାଇ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ପାଣି ପଶିଯିବାରୁ ଅଧିକାଂଶ ଲୋକମାନେ ପରିବାରକୁ ଧରି ଘରୁ କୁଆଡେ଼ ଯାଇପାରିଲେନି । ଦେଖୁଦେଖୁ ରାଜଧାନୀ ଦିଲ୍ଲୀ ସଡ଼କ ଉପରେ ମୋଟର ଡଙ୍ଗା ଚାଲିବା ଭଳି ପାଣି ଜମିଗଲା । ଯମୁନା ନଦୀର ବନ୍ୟାପାଣି ଲୋକଙ୍କୁ ସପ୍ତାହ ସପ୍ତାହ ଧରି ଭୋକଉପାସରେ ରହିବାକୁ ବାଧ୍ୟ କରିଥିଲା ।

ଚଳିତ ବନ୍ୟାପାଣି ୧୯୭୮ ବନ୍ୟା ପରିସ୍ଥିତିକୁ ତାଜା କରିଛି । ୧୯୭୮ ମସିହାର ବନ୍ୟା ଜରୁରୀକାଳୀନ ପରିସ୍ଥିତିକୁ ଡାକି ଆଣିଥିଲା । ଟେଲିଫୋନ୍‌ ଯୋଗାଯୋଗ ବନ୍ଦ ହୋଇଗଲା । ବନ୍ୟା ଅଂଚଳରେ ସେନା ମୁତୟନ କରା ଯାଇଥିଲା । ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରି ଦିଲ୍ଲୀର ମହାରାଣୀ ବାଗ, ନ୍ୟୁ ଫ୍ରେଣ୍ଡସ କଲୋନୀ, ଜାମିୟା ମିଲିୟା, ଓଖଲା ସମେତ ବହୁ ଇଲାକାର ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଦିଲ୍ଲୀଠାରୁ ପ୍ରାୟ ୨୨୭ କିଲୋମିଟର ହରିଆଣାର ହାଥିନିକୁଣ୍ଡ ଜଳଭଣ୍ଡାରରୁ ପ୍ରାୟ ୭ ଲକ୍ଷ କ୍ୟୁସେକ ପାଣି ଛାଡ଼ି ଦିଆଯିବାରୁ ଭୟଙ୍କର ବନ୍ୟା ହୋଇଥିଲା ।

ରାଜଧାନୀ ଦିଲ୍ଲୀରେ ବହୁବାର ବନ୍ୟା ହୋଇଛି । ୧୯୨୪, ୧୯୪୭, ୧୯୭୬, ୧୯୭୮, ୧୯୮୮, ୧୯୯୫, ୨୦୧୦, ୨୦୧୩ରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର ୧୯୭୮ ଭଳି ଭୟଙ୍କର ବନ୍ୟା ୨୦୨୩ରେ ଦେଖିବାକୁ ମିଳିଛି । କୁହାଯାଉଛି, ୧୯୭୮ରେ ଅଧା ଦିଲ୍ଲୀ ବୁଡ଼ି ଯାଇଥିଲା । ଏବେ ମୋଦି-କେଜ୍ରିୱାଲ ମିଶି ଦିଲ୍ଲୀକୁ ଯମୁନା ଦାଉରୁ ରକ୍ଷା କରିପାରନ୍ତି ।