ଯୁକ୍ତରାଷ୍ଟ୍ର ଆମେରିକାର ପାନାମା ହୋଟେଲରେ ଅଟକ ବହୁ ବେଆଇନ ଅନୁପ୍ରବେଶକାରୀ ସେମାନଙ୍କ ଭିଟାମାଟିକୁ ଫେରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଭାରତୀୟଙ୍କ ସମେତ ପ୍ରାୟ ୩୦୦ ଜଣ ବିଦେଶୀ ନାଗରିକ ପାନାମା ହୋଟେଲ ଝରକା ବାଟ ଦେଇ ଟ୍ରମ୍ପ ପ୍ରଶାସନଙ୍କୁ ନେହୁରା ହୋଇ ଆଶ୍ରୟ କାମନା କରିଛନ୍ତି ।
ଭାରତ, ଇରାନ, ନେପାଳ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ ଓ ଚୀନ ସମେତ ବହୁ ଏସୀୟ ରାଷ୍ଟ୍ରରୁ ପ୍ରାୟ ୩୦୦ ନାଗରିକ ପାନାମା ହୋଟେଲରେ ଏକ ପ୍ରକାର ବନ୍ଦୀ ଜୀବନ ଯାପନ କରୁଛନ୍ତି । ସେମାନଙ୍କୁ ଦୁଇବେଳା ଭୋଜନ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ପାନାମା ପ୍ରଶାସନ କହୁଛନ୍ତି ।
ଅଟକ ବିଦେଶୀ ନାଗରିକମାନଙ୍କୁ ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରାଯାଉଛି । ତେବେ ବହୁ ନାଗରିକ ସ୍ୱଦେଶ ଫେରିବାକୁ ଅରାଜି ବୋଲି ପାନାମା ପ୍ରଶାସନ କହିଛି । ବେଆଇନ ଅନୁପ୍ରବେଶକାରୀଙ୍କୁ କୌଣସି ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାରେ ରଖାଇ ଦିଆଯିବନି ବୋଲି ଟ୍ରମ୍ପ ପ୍ରଶାସନ ଦୃଢ଼ତାର ସହ କହିଛି ।