ଯୋଗୀ ରାଇଜରେ ଡାକ୍ତରୀ ସେବା: ଛଟପଟ ହୋଇ ମରିଗଲେ ପୀଡ଼ିତ, ଏସି ରୁମ୍‌ରେ ନିଦ୍ରାଗତ ଡାକ୍ତର

ମିରଟ୍‌: ସଡ଼କ ଦୁର୍ଘଟଣାର ଶିକାର ହୋଇ ଜଣେ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ପହଂଚିଲେ । ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଖୋଜା ପଡ଼ିଲା । ସଂପୃକ୍ତ ଡାକ୍ତର ଜଣକ ଗୋଟିଏ ଏସି ରୁମ୍‌ରେ ନିଘୋଡ଼ ନିଦରେ ଶୋଇ ଯାଇଥିଲେ । ସାରା ଦେଶରେ ପ୍ରତିଷ୍ଠିତ ଅଧିକାଂଶ ସରକାରୀ ଡାକ୍ତରଖାନାରେ ଏଭଳି ଚିତ୍ର ଆଜିକାଲି ମାମୁଲି ହୋଇଗଲାଣି ।

ୟୁପିର ମିରଟସ୍ଥିତ ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ଦୁର୍ଦ୍ଦଶା ସଂପର୍କୀତ ଏକ ଭିଡିଓ ଭାଇରାଲ ହେବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା । ସଂପୃକ୍ତ ମାମଲାରେ ଦୁଇଜଣ କନିଷ୍ଠ ଡାକ୍ତରଙ୍କୁ ଦାୟୀ କରାଯିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାତ୍ର ଦୁର୍ଘଟଣା ପୀଡ଼ିତଙ୍କୁ ବଂଚାଇବା ସମ୍ଭବ ହୋଇପାରିଲାନି ।

ସବୁଠାରୁ ବଡ଼କଥା ହେଉଛି, ସୋମବାର ସନ୍ଧ୍ୟାରେ ଦୁର୍ଘଟଣା ପୀଡ଼ିତ ସୁନିଲଙ୍କୁ ସାଙ୍ଗରେ ଧରି ଡାକ୍ତରଖାନାକୁ ଧାଇଁ ଆସିଥିଲା ପୁଲିସ । ସୁନିଲଙ୍କ ଶରୀରରୁ ପ୍ରଚୁର ରକ୍ତ ବାହାରୁଥିଲା । ରକ୍ତ ବନ୍ଦ କରିବା ଜରୁରୀ ଥିଲା । ଡ୍ୟୁଟିରେ ନିୟୋଜିତ ଡାକ୍ତର ଶଶଙ୍କ ଜିନ୍ଦଲ ଅନୁପସ୍ଥିତ ଥିଲେ । ବରିଷ୍ଠ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀଙ୍କ ଦେଖାଶୁଣା କରିବା ପାଇଁ ଭୁପେଶ କୁମାର ରାୟ ଓ ଅଙ୍କିତ ନାମକ ଦୁଇଜଣ କନିଷ୍ଠ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା ।ସେହିମାନଙ୍କ ଭିତରୁ କେହି ଜଣେ ହସ୍ପିଟାଲ ବେଡ୍ ନିକଟରେ ନିଦ୍ରାଗତ ଯାଇଥିଲେ । ବହୁ ବିଳମ୍ବରେ ଡାକ୍ତରଖାନା ପକ୍ଷରୁ ସୁନିଲଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ମାତ୍ର ସେତେବେଳକୁ ବହୁତ ରକ୍ତ ବହି ଯାଇଥିଲା । ସୁନିଲଙ୍କୁ ବଂଚାଇବାକୁ ବହୁ ଚେଷ୍ଟା କରାଗଲା । ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ତାଙ୍କର ଜୀବନ ଚାଲି ଯାଇଥିଲା । ସୁନିଲଙ୍କ ପରିବାର ଡାକ୍ତରୀ ଅବହେଳାକୁ ଦାୟୀ କରିଛନ୍ତି ।