ତରଳୁଛି ଗ୍ଲାସିୟର, ବୁଡ଼ିବ ଲଦାଖ

ନୂଆଦିଲ୍ଲୀ : ଉତ୍ତର ଭାରତର ବରଫ ଖଣ୍ଡ (ଗ୍ଲେସିୟର) ଦ୍ରୁତ ଗତିରେ ତରଳି ଚାଲିଛି। ଫଳରେ ଲାଦାଖସ୍ଥିତ ପେ​‌​‌ଙ୍ଗାଙ୍ଗ ହ୍ରଦପାଣିରେ ପୂରି ଉଠିବ। ଏହି ପାଣି ମାଡ଼ିଯିବା ଫଳରେ ଲାଦାଖ ପାଣିରେ ବିଲୀନ ହୋଇଯିବ ବୋଲି କାଶ୍ମୀର ବିଶ୍ବବିଦ୍ୟାଳୟର ଗବେଷକମାନେ ଚେତାବନୀ ଦେଇଛନ୍ତି। ଗବେଷକଙ୍କ ମତରେ ୧୯୯୦ରୁ ୨୦୨୦ ମଧ୍ୟରେ ଏହି ଅଞ୍ଚଳରେ ୬.୭ ପ୍ରତିଶତ ଗ୍ଲାସିୟର ତରଳିଛି। ଏପରି ଦ୍ରୁତଗତିରେ ଗ୍ଲାସିୟର ତରଳିବା ଶୁଭ ସଙ୍କେତ ନୁହେଁ ବୋଲି ଅଧ୍ୟାପକ ଡା. ଇରଫାନ ରସିଦ କହିଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ଗବେଷକମାନେ ଲଦାଖର ୯୭ଟି ଗ୍ଲାସିୟର ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ। ଗ୍ଲାସିୟର ତରଳିଯିବା ଯୋଗୁଁ ପେ​‌​‌ଙ୍ଗାଙ୍ଗ ହ୍ରଦର ଜଳପତ୍ତନ ପ୍ରତିବର୍ଷ ବୃଦ୍ଧି ପାଉଛି। ଫଳରେ ଆଗାମୀ ଦିନରେ ହ୍ରଦଟି ପାଣିରେ ଡୁବିଯାଇ ଅନ୍ୟ ଆଡ଼କୁ ମାଡ଼ିଯିବାର ସମ୍ଭାବନା ରହିଛି। ଏପରି ହେଲେ ଲଦାଖ ପରି ସୁନ୍ଦର ଉପତ୍ୟକା ହଜିଯିବ।
ହିମାଳୟ ପର୍ବତ ଶୃଙ୍ଖଳାର ଗ୍ଲାସିୟର ତରଳିବା ବିଶ୍ବ ପ୍ରତି ବିପଦ ସୃଷ୍ଟି କରିଛି। ହିମାଳୟ ପର୍ବତ ଶୃଙ୍ଖଳାରେ ଥିବା ଗ୍ଳାସିୟର ତରଳିବା ଯୋଗୁଁ ପର୍ବତର ଉଚ୍ଚତା ହ୍ରାସ ପାଇଛି। ଆଗକୁ ପର୍ବତ ପାଦ ଦେଶରେ ଥିବା ଅଞ୍ଚଳଗୁଡ଼ିକରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଦେଖାଦେବ। ଅଙ୍ଗାରକାମ୍ଳ ନିର୍ଗମନ ଓ ପ୍ରଦୂଷଣ ନ ରୋକିଲେ ଏବେକାର ତାପମାତ୍ରାଠାରୁ ୨୧୦୦ ମସିହା ବେଳକୁ ବିଶ୍ବର ତାପମାତ୍ରା ପ୍ରାୟ ୪.୪ଂ ସେଲସିୟସ ବୃଦ୍ଧି ପାଇପାରେ ବୋଲି ‘ନାସା’ ସୂଚନା ଦେଇଛି। ତାପମାତ୍ରା ବୃଦ୍ଧି ହେତୁ ଗ୍ଲାସିୟର ତରଳିବା ଆରମ୍ଭ କରିବ। ଏହାଦ୍ବାରା ସମୁଦ୍ର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବ। ‘ନାସା’ର ପ୍ରଶାସନିକ ଅଧିକାରୀ ବିଲ ନେଲସନ୍‌ କହିଛନ୍ତି, ଆଗାମା ଶତାବ୍ଦୀ ସୁଦ୍ଧା ବିଶ୍ବର ସମୁଦ୍ର ତଟବର୍ତ୍ତୀ ଅଧିକାଂଶ ଦେଶର କ୍ଷେତ୍ରଫଳ ହ୍ରାସ ପାଇପାରେ। ସମୁଦ୍ର ଜଳ ଏପରି ମାଡ଼ିବ ଯେ ତାହାକୁ ରୋକିବା କଷ୍ଟକର ହୋଇ ପଡ଼ିବ। ଏ ପର୍ଯ୍ୟନ୍ତ ଅନେକ ଦ୍ବୀପ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। ଆଗକୁ ଆହୁରି ଅଧିକ ଦ୍ବୀପ ସମୁଦ୍ରରେ ଡୁବିଯିବ ବୋଲି ସେ କହିଛନ୍ତି।