ଆକାଶରେ ଭାସୁ ନଥିବ ବାଦଲ । ଆକାଶରେ ମାରୁ ନଥିବ ବିଜୁଳି । ଏମିତି ଏକ ଖୋଲା ଆକାଶ ଉପରେ ଆଖି ବୁଲାଇ ଆଣନ୍ତୁ ରାତି ପ୍ରାୟ ୯ଟାରୁ ୧୧ ଟା ଭିତରେ । ଦୂରବୀକ୍ଷଣ ଯନ୍ତ୍ର ଦରକାର ନାହିଁ ।
କେବେ ଜାଣନ୍ତି ? ଜୁଲାଇ ୨୯ ଓ ୩୦ ତାରିଖ ରାତି ତମାମ ଉଲ୍କା ବର୍ଷା ହେବ । ଆକାଶର ଦୁଇଟି କୋଣରୁ ଦେଖିବାକୁ ପାଇବେ ଉଲ୍କା ବର୍ଷା । ପ୍ରତି ଘଂଟାରେ ଖସିବ ପ୍ରାୟ ୨୫ଟି ଉଲ୍କା । ପୃଥିବୀର ବାୟୁମଣ୍ଡଳ ଭିତରକୁ ପ୍ରବେଶ କରିବ ଓ ଜଳି ଉଠିବ । ମହାକାଶ ବିଜ୍ଞାନୀଙ୍କ ମତରେ ବହୁ ବର୍ଷ ତଳେ ମହାକାଶରେ ଦୁଇଟି ଗ୍ରହପିଣ୍ଡ ମୁହାଁମୁହିଁ ଧକ୍କା ହେବା କାରଣରୁ ଟୁକୁଡା ଟୁକୁଡା ହୋଇ ଯାଇଥିଲେ । ସେହି ଟୁକୁଡାଗୁଡ଼ିକ ପୃଥିବୀର କକ୍ଷପଥରେ ପହଂଚି ସାରିଛି ।
ଏହି ବିରଳ ଜାଗତିକ ବର୍ଷାକୁ ଉପଭୋଗ କରିବା ପାଇଁ ମହାକାଶ ବିଜ୍ଞାନୀମାନେ ଚାତକ ଭଳି ଅପେକ୍ଷା କରିଛନ୍ତି । ଗ୍ରହ ନକ୍ଷତ୍ର ବିଚାର କରୁଥିବା ଜ୍ୟୋତିଷ, ପଣ୍ଡିତଗଣ ମଧ୍ୟ ଉଲ୍କା ବର୍ଷାକୁ ପ୍ରାଥମିକତା ଦେଇଛନ୍ତି ।
ଆକାଶ ଯେତିକି ଅନ୍ଧାର ରହିବ, ଉଲ୍କା ବର୍ଷା ସେତିକି ସୁନ୍ଦର ଦିଶିବ । ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ବିଜ୍ଞାନୀଙ୍କ ମତରେ ମଧ୍ୟରାତ୍ରୀରେ ଉଲ୍କା ବର୍ଷା ଅତ୍ୟନ୍ତ ଚିତାକର୍ଷକ । ଭାରତ ଆକାଶରେ ଉଲ୍କା ବର୍ଷା ଅସ୍ପଷ୍ଟ ଦିଶିବ । ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଲ୍କା ବର୍ଷା ଉପଭୋଗ୍ୟ ରହିବ ।