ଫାଶୀଦଣ୍ଡରୁ ନିମିଶାଙ୍କୁ ରକ୍ଷା କରି ପାରିଲାନି ସରକାର

ୟେମେନରେ ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ଫାଶୀଦଣ୍ଡ ମିଳିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ତାଙ୍କୁ କୌଣସି ମତେ ଫାଶୀଦଣ୍ଡରୁ ରକ୍ଷା କରିବାର ବାଟ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି ମୋଦି ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣୀ ସୁପ୍ରିମକୋର୍ଟରେ ହାଜର ହୋଇ ଏହି ବିଷୟ ଜଣାଇ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ଜୁଲାଇ ୧୬ ତାରିଖ ଦିନ ନିମିଶାଙ୍କୁ ଫାଶୀଦଣ୍ଡ ଦିଆଯିବ ।

ନିମିଶାଙ୍କୁ ବଂଚାଇବା ପାଇଁ ତାଙ୍କ ପରିବାର ଲୋକେ ମୃତକଙ୍କ ପରିବାରକୁ ପ୍ରାୟ ୮.୬ କୋଟି ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ । ସୂଚନା ମୁତାବକ ୩୮ ବର୍ଷୀୟା ନିମିଶା ପ୍ରିୟାଙ୍କ ଘର କେରଳର ପଲ୍ଲକଡ଼ ଜିଲ୍ଲାରେ । ନିମିଶା ଚାକିରି କରିବା ପାଇଁ ୨୦୧୧ ମସିହାରେ ୟେମେନକୁ ଯାଇଥିଲେ । ୨୦୧୭ ମସିହାରେ ସେ ଜଣେ ବ୍ୟକ୍ତିଙ୍କୁ ମାରି ତାକୁ ପୋତି ଦେଇଥିଲେ । ୟେମେନରୁ ଭାରତକୁ ପଳାଇ ଆସିବା ପାଇଁ ଉଦ୍ୟମ କରୁଥିବା ସମୟରେ ଧରା ପଡ଼ିଗଲେ । ୨୦୨୦ ମସିହାରେ ତାଙ୍କୁ ଦୋଷୀ ପ୍ରମାଣିତ କରି ଅଦାଲତ ଫାଶୀଦଣ୍ଡ ପ୍ରଦାନ କରିଥିଲେ । ଫାଶୀଦଣ୍ଡରୁ ତ୍ରାହି ପାଇବା ପାଇଁ ନିମିଶାଙ୍କ ପରିବାର ଉପର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସବୁ ଉଦ୍ୟମ ବିଫଳ ହୋଇଥିଲା । ୟେମେନର ସୁପ୍ରିମ ଅଦାଲତ ୨୦୨୩ରେ ନିମିଶାଙ୍କ ଫାଶୀଦଣ୍ଡକୁ କାଏମ ରଖିଥିଲେ ।
ନିମିଶା ଜଣେ ଭାରତୀୟ ହୋଇଥିବାରୁ ଉଭୟ ଦେଶର ସରକାରଙ୍କ ବୁଝାମଣାରେ ମାମଲାକୁ ଅଦାଲତ ବାହାରେ ମୀମାଂସା କରିବାର ଉଦ୍ୟମ ଚାଲିଥିଲା । ମାତ୍ର ସବୁ ଉଦ୍ୟମ ଫେଲ୍ ମାରିଲା ।