ଉପା ଶାସନକୁ ମହାଦୁର୍ନୀତିର ଦଶନ୍ଧି କହିଲେ ମୋଦୀଜୀ

ଉପା ସରକାର ସୁଯୋଗର ସଦ୍‌ବ୍ୟବହାର କରିପାରିଲାନି….

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ବଜେଟ୍‌ ଅଧିବେଶନର ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଉପା ସରକାରକୁ ମନଭରି ସମାଲୋଚନା କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ ‘ସଂକଳ୍ପରୁ ସିଦ୍ଧି’ ଯାତ୍ରାକୁ ଉଚ୍ଚପ୍ରଶଂସା କରିଛନ୍ତି ।

ମୋଦୀ କହିଛନ୍ତି, ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ କୌଣସି ସାଂସଦ ଦୋଷତ୍ରୁଟି ବାଛିନାହାନ୍ତି । ଦିନକ ପୂର୍ବେ ରାହୁଲ ଗାନ୍ଧି ଆଦାନୀ ଗ୍ରୁପର ଅଧୋଗତିକୁ ଅସ୍ତ୍ର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ସଂସ୍କାରକୁ ସମାଲୋଚନା କରୁଥିଲେ ।

ରାହୁଲଙ୍କ ମନ୍ତବ୍ୟର କୈଫିୟତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଉପା ସରକାରଙ୍କ ୨୦୦୪-୨୦୧୪ ଶାସନ କାଳକୁ ମହାଦୁର୍ନୀତିର ଦଶନ୍ଧି ଭାବେ ଦର୍ଶାଇଥିଲେ । ମୋଦୀଙ୍କ ମତରେ ଆଜି ଦେଶର ପ୍ରତ୍ୟେକ ନାଗରିକ ଦୁଷ୍ଟଶକ୍ତିକୁ ସାହସର ସହିତ ମୁକାବିଲା କରୁଛନ୍ତି । କିନ୍ତୁ ଉପା ରାଜୁତି ସମୟରେ ଭାରତର କୌଣସି ନାକୌଣସି ସ୍ଥାନରେ ନିୟମିତ ଆତଙ୍କୀ ହମ୍‌ଲା ଦେଖିବାକୁ ମିଳିଥିଲା ।

ମନମୋହନ ସରକାର ଆତଙ୍କୀ ଶକ୍ତି ସହିତ ମୁକାବିଲା କରିବା ବଦଳରେ ଲୋକଙ୍କୁ ‘ଅଜଣା ଜିନିଷକୁ ଛୁଅନା’ କହି କବାଟ କିଳି ରହିବାକୁ ପରାମର୍ଶ ଦେଉଥିଲେ । ୨୦୦୪ରୁ ୨୦୧୪ ଦଶନ୍ଧି କାଳ କଶ୍ମୀରରୁ କନ୍ୟାକୁମାରୀ ଜଳୁଥିଲା । କିନ୍ତୁ ଆଜି ଦେଶର ୧୪୦ କୋଟି ଜନତାଙ୍କ ମନରେ ଭୟ ବୋଲି କିଛି ଦେଖିବାକୁ ମିଳୁନି । ଉପା ସରକାର ସୁଯୋଗର ସଦ୍‌ବ୍ୟବହାର କରିପାରିଲାନି । ଏବେ ଛାତିପିଟି ଯେତେ କାନ୍ଦିଲେ କେହି ଶୁଣିବେନି ।