ମୋଦିଜୀଙ୍କ ଦିଲ୍‌ ଜିତିଲେ, ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀ କ୍ଷମତାକୁ ଫେରିଛି ବିଜେପି । ଆମ୍‌ ଆଦ୍‌ମୀ ପାର୍ଟିର ୧୦ ବର୍ଷ ଶାସନର ଅବସାନ ଘଟିଛି । ସବୁ କଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ଜନତାଙ୍କ ଦିଲ୍‌ ଜିତିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଲ୍‌ ଜିତିବା ବଡ଼ କଷ୍ଟକର ବ୍ୟାପାର ଥିଲା । ବହୁ ଅଭିଜ୍ଞ ନେତାଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେବା ରେଖା ଗୁପ୍ତାଙ୍କ ପକ୍ଷରେ ବାସ୍ତବିକ ଏକ ଆହ୍ୱାନ ଥିଲା ।

ରେଖା ଗୁପ୍ତାଙ୍କ ଶପଥ ସମାରୋହକୁ ଅବିସ୍ମରଣୀୟ କରିବା ପାଇଁ ରାମଲୀଳା ମଇଦାନରେ ୫୦ ହଜାର ଜନତାଙ୍କ ସମାବେଶ ଆୟୋଜନ କରାଯାଇଛି । ୫୦ ବର୍ଷୀୟ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇବେ ଉପରାଜ୍ୟପାଳ ଭିକେ ସାକ୍ସେନା ।

ଦିଲ୍ଲୀର ସାଲିମାର ବାଗ ଆସନରୁ ଆପ୍‌ ନେତ୍ରୀ ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରି ପ୍ରଥମ ଥର ପାଇଁ ବିଧାୟିକା ହୋଇଛନ୍ତି ରେଖା ଗୁପ୍ତା । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ, ଆତିଶିଙ୍କ ପରେ ଦିଲ୍ଲୀର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ରେଖା ଗୁପ୍ତା ।

ରାମଲୀଳା ମଇଦାନକୁ ଚାରିପଟୁ ଜଗି ରହିଛନ୍ତି ପ୍ରାୟ ୨୦ ହଜାର ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନ । ପାନ ବିକାଳୀ, ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ଓ କନିଷ୍ଠ ମନ୍ତ୍ରୀ, ଏନ୍‌ଡିଏ ଶାସନାଧିନ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ, ଶିଳ୍ପପତି, ବ୍ୟବସାୟୀଙ୍କ ସମେତ ବହୁ ସେଲିବ୍ରିଟି ଶପଥ ସମାରୋହକୁ ଆମନ୍ତ୍ରିତ ହୋଇଛନ୍ତି ।