ମୋଦୀଙ୍କ ଅଜବ କ୍ୟାବିନେଟ୍‌,

ମନ୍ତ୍ରୀ-ମନ୍ତ୍ରୀ ଟୁଇଟ୍‌ ଲଢେ଼ଇରେ ଶରଣାର୍ଥୀ କାବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ କୌଣସି ମନ୍ତ୍ରୀଙ୍କ କଥାର ଦମ୍‌ ନାହିଁ । ସବୁ ମନ୍ତ୍ରୀଙ୍କ ବଚନକୁ ଏଡ଼ାଇ ଦେବାର ଦମ୍‌ ଏକା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଛି । ମୋଦୀଙ୍କ ନିକଟରେ ଅନ୍ୟ ମନ୍ତ୍ରୀମାନେ ମାଟିଗୋଡ଼ି ଭଳି । ଖାସ୍‌ ସେଇଥିପାଇଁ ଭାରତରେ ଆଶ୍ରୟ ନେଇଥିବା ବେଆଇନ୍‌ ରୋହିଙ୍ଗା ଶରଣାର୍ଥୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରୋହିଙ୍ଗା ଶରଣାର୍ଥୀଙ୍କୁ ଅଟକ ଶିବିରରେ ରହିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଦେଶନାମା ଜାରି କରିଛି । ବୁଧବାର ଜାରି ଆଦେଶନାମାରେ ବେଆଇନ୍‌ ରୋହିଙ୍ଗା ଶରଣାର୍ଥୀଙ୍କୁ ରହିବାକୁ ଫ୍ଲାଟ୍‌ ଓ ତିନି ଟାଇମ୍‌ ମାଗଣା ଖାଦ୍ୟ ଦିଆଯିବା ବିଷୟ ଉଲ୍ଲେଖ କରାଯାଇନି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରୋହିଙ୍ଗା ଶରଣାର୍ଥୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଥିଲା । କିନ୍ତୁ ବର୍ତ୍ତମାନ ପାଇଁ ସେମାନଙ୍କୁ ଅନ୍ୟ ସ୍ଥାନକୁ ନେବାର ପ୍ରଶ୍ନ ଉଠୁନି । ସେମାନଙ୍କୁ ନିର୍ବାସନରେ ପଠାଇବାର ଯୋଜନା ଥିବାରୁ ଅଟକ ଶିବିରରେ ରଖିବା ଉଚିତ ହେବ । ଅବଶ୍ୟ ବେଆଇନ୍‌ ରୋହିଙ୍ଗାଙ୍କ ରହଣି ସ୍ଥଳକୁ ଦିଲ୍ଲୀ ସରକାର ଅଟକ ଶିବିର ଭାବେ ଘୋଷଣା କରିନି । ମାତ୍ର ବୁଧବାର ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରୋହିଙ୍ଗାଙ୍କ ରହଣି ସ୍ଥଳକୁ ଅଟକ ଶିବିର ଭାବେ ଦର୍ଶାଇଛି ।

ଗୋଟିଏ ପଟେ ଅମିତ ଶାହଙ୍କ ମନ୍ତ୍ରଣାଳୟ ବେଆଇନ୍‌ ରୋହିଙ୍ଗା ସମାଜ ପ୍ରତି ରୁକ୍ଷ ଆଭିମୁଖ୍ୟ ପୋଷଣ କରିଥିଲା ବେଳେ କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍‌ କରି ରୋହିଙ୍ଗାଙ୍କ ପ୍ରତି ଅନାବିଳ ପ୍ରେମ ଜାହିର କରିଥିଲେ ।
ହରଦୀପଙ୍କ ଟୁଇଟ୍‌ର ସାରାଂଶ ହେଉଛି, ଭାରତ ସବୁବେଳେ ଶରଣାର୍ଥୀଙ୍କୁ ଆନ୍ତରିକତାର ସହ ସ୍ୱାଗତ କରିଛି । ରୋହିଙ୍ଗା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରବାଲା ଅଂଚଳରେ ଏକ ରୁମ୍‌ ବିଶିଷ୍ଟ ଫ୍ଲାଟକୁ ସ୍ଥାନାନ୍ତର କରାଯିବ । ସେମାନଙ୍କୁ ସର୍ବନିମ୍ନ ସୁବିଧା ସହିତ ୨୪ ଘଂଟା ସୁରକ୍ଷା ଦିଆଯିବ । ହରଦୀପଙ୍କ ଟୁଇଟ୍‌ର ତତ୍‌କ୍ଷଣାତ୍‌ ଜବାବ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ ସେପରି କିଛି ଆଦେଶ ଦିଆଯାଇନି ।