ମଧ୍ୟପ୍ରଦେଶ : ମନ୍ଦିରରେ ପୂଜା କରୁଥିବା ବେଳେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ, ଯେଉଁଠାରେ ମନ୍ଦିରରେ ପୂଜା କରୁଥିବା ବେଳେ ପୂର୍ବତନ ବିଧାୟକ ବିନୋଦ ଡାଗାଙ୍କର ହୃଦଘାତରେ ପରଲୋକ ହୋଇଛି। ପୂର୍ବତନ ବିଧାୟକଙ୍କ ମୃତ୍ୟୁର ପୂରା ଭିଡିଓ ଏକ ସିସିଟିଭିରେ କଏଦ ହୋଇଛି।
ପ୍ରତିଦିନ ଭଳି ଧନତେରାସ ଦିନ ବିନୋଦ ଡାଗା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ସେ ସର୍ବପ୍ରଥମେ ଭଗବାନ ପାର୍ଶ୍ଵନାଥଙ୍କ ପୂଜା କରିଥିଲେ। ଏହା ପରେ ସେ ପଶ୍ଚାତ ଦାଦା ଗୁରୁଦେବ ମନ୍ଦିରର ପରିକ୍ରମା ଲଗାଇବା ପରେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିଲେ। ତେବେ ପୂଜା ଶେଷ କରିବା ପରେ ସେ ଦାଦା ଗୁରୁଦେବଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରୁଥିବା ବେଳେ ତାଙ୍କ ଶରୀରର ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ତଳେ ପଡ଼ିଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।