ମୁମ୍ବାଇ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୧୨ ବର୍ଷ। କିନ୍ତୁ ଆଜି ବି ସେଦିନର କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠେ ଆଉ ଛାତି ଥରିଉଠେ। କାରଣ ମାୟାନଗରୀରେ ଆତତାୟୀ ରଚିଥିଲେ ଆତଙ୍କର ଷଡଯନ୍ତ୍ର। ସେହି ଷଡଯନ୍ତ୍ର ଆକ୍ରମଣରେ ସ୍ତବ୍ଦ ହୋଇଯାଇଥିଲା ପୁରା ଦେଶ। ଆଉ ଆତତାୟୀର ବନ୍ଧୁକ ମୁନରେ ରକ୍ତ ରଞ୍ଜିତ ହୋଇଥିଲା ମୁମ୍ବାଇ ସହର। ସେଦିନର ସେହି ଭୟାନକ ଆକ୍ରମଣ ପରେ ସାରା ମୁମ୍ବାଇରେ ଭୟର ବାତାବରଣ ଖେଳି ଯାଇଥିଲା। ଯାହା ର ଭୟାବହତା ଆଜିବି କାନରେ ଗୁଞ୍ଜରି ଉଠେ। ଆଉ ସେହି ଛାତିଥରା ଦୃଶ୍ୟ ଆଜିବି ମନେପଡେ।

ସେଦିନ ଥିଲା, ୨୬ ନଭେମ୍ବର ୨୦୦୮ରେ ସମୁଦ୍ର ପଥ ଦେଇ ୧୦ ଆତଙ୍କବାଦୀ ମୁମ୍ବାଇର ତାଜ ହୋଟେଲ ସମେତ ୬ ଟି ସ୍ଥାନ ଉପରେ ଭୟଙ୍କର ଆକ୍ରମଣ କରିଥିଲେ। ମୁମ୍ବାଇର ପ୍ରମୁଖ ସ୍ଥାନମାନଙ୍କ ମଧ୍ୟରେ ଛତ୍ରପତି ଶିବାଜୀ ଟର୍ମିନାସ (ସିଏସ୍ଟି) ରେଳ ଷ୍ଟେସନ, ନରିମାନ ହାଉସ କମ୍ପ୍ଲେକ୍ସ, ଲିଓପୋଲ୍ଡ କାଫେ, ତାଜ ହୋଟେଲ ଏବଂ ଟାୱାର, ଓବରୋଇ-ଟ୍ରାଇଡେଣ୍ଟ ହୋଟେଲ ଏବଂ କାମା ହସ୍ପିଟାଲକୁ ଟାର୍ଗେଟ କରିଥିଲେ। ପ୍ରାୟ ୧୬୦ ଜଣଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତିନି ଦିନ ଧରି ଚାଲିଥିବା ଏହି ଆକ୍ରମଣରେ ୯ ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଥିଲେ ସୁରକ୍ଷା ବଳ। ଏଥିସହିତ ଅଜମଲ ଆମୀର କସାବକୁ ଗିରଫ କରାଯାଇଥିଲା ଏବଂ ନଭେମ୍ବର ୨୦୧୨ ରେ ପୁନେରେ ଫାଶି ଦିଆଯାଇଥିଲା।
କଣ ହୋଇଥିଲା ସେହି ଛାତିଥରା ୨୬/୧୧-:
ଆତଙ୍କବାଦୀମାନେ ସମୁଦ୍ର ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ମୁମ୍ବାଇ ଆକ୍ରମଣର ଅନୁସନ୍ଧାନରୂ ୧୦ ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ସମୁଦ୍ର ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ସେହି ୧୦ ଆତଙ୍କବାଦୀ ୨୬ ନଭେମ୍ବର ଦିନ ରାତି ୮ଟା ସମୟରେ କୋଲାବା ନିକଟ କଫି ପ୍ୟାରେଡର ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ସେମାନେ ଚାରି ଗୋଷ୍ଠୀରେ ବିଭକ୍ତ ହୋଇ ଟ୍ୟାକ୍ସିରେ ବିଭିନ୍ନ ସ୍ଥାନକୁ ଚାଲିଯାଇଥିଲେ। ଏହି ସମୟ କିଛି ମାଛ ବେପାରୀ ଏହା ଉପରେ ସନ୍ଦେହ କରିଥିଲେ ଏବଂ ସେମାନେ ପୋଲିସକୁ ଏ ବିଷୟରେ ଜଣାଇଥିଲେ, କିନ୍ତୁ ସ୍ଥାନୀୟ ପୋଲିସ ଏଥିପ୍ରତି ଧ୍ୟାନ ଦେଇନଥିଲେ।

ଆକ୍ରମଣର ପ୍ରଥମ ଖବର ରାତି ୯ଟାରେ ଆସିଥିଲା ନଭେମ୍ବର ୨୬ରେ, ରାତି ପ୍ରାୟ ୯ଟା ସମୟରେ ଛତ୍ରପତି ଶିବାଜୀ ଟର୍ମିନାଲରେ ଗୁଳି ବିନିମୟ ହେବାର ଖବର ଆସିଥିଲା। ଦୁଇଜଣ ଆତଙ୍କବାଦୀ ରେଳ ଷ୍ଟେସନରେ AK-47ରେ କ୍ରମାଗତ ଭାବରେ ଗୁଳି ଚଳାଇ ମାତ୍ର ୧୫ ମିନିଟରେ ୫୨ ଜଣଙ୍କୁ ନିର୍ମମ ଭାବେ ମାରିଥିବା ବେଳେ ୧୦୯ ଜଣ ଆହତ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ଦକ୍ଷିଣ ମୁମ୍ବାଇର ଲିଓପୋଲ୍ଡ କାଫେ, ବୋରିବାନ୍ଦର, ଭିଲେ ପାର୍ଲେ, ତାଜ ହୋଟେଲ, ଓବରୋଇ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ, ଲିଓପୋଲ୍ଡ କାଫେରେ ୧୮୦୦ ରୁ ଅଧିକ ଅତିଥି ଥିଲେ, ସେମାନଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ଥିବାବେଳେ ତାଜରେ ୪୫୦ ଲୋକ ଏବଂ ଓବରୋଇରେ ୩୮୦ ଜଣ ଉପସ୍ଥିତ ଥିଲେ। ଆତଙ୍କବାଦୀମାନେ ତାଜ ଏବଂ ଓବରୋଇ ହୋଟେଲ ବ୍ୟତୀତ ଯିହୁଦୀମାନଙ୍କର ମୁଖ୍ୟ କେନ୍ଦ୍ର ନରିମାନ ପଏଣ୍ଟକୁ କାବୁ କରି ବହୁ ଲୋକଙ୍କୁ ନିଜ କବଜାରେ ରଖିଥିଲେ।
ଏହି ଆକ୍ରମଣ ପରେ ରାପିଡ୍ ଆକ୍ସନ୍ ଫୋର୍ଡ (ଆରପିଏଫ୍), ମେରାଇନ୍ କମାଣ୍ଡୋ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) କମାଣ୍ଡୋମାନେ ସକ୍ରିୟ ରହିଥିଲେ ସୁଦ୍ଧା ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସୁରକ୍ଷା ବାହିନୀକୁ ୩ ଦିନ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ, ଲାଇଭ୍ ମିଡିଆ କଭରେଜ୍ ହେତୁ ଆହୁରି ଅଧିକ କ୍ଷତି ଘଟିଥିଲା, କାରଣ ଆତଙ୍କବାଦୀମାନେ ଟିଭିରେ ତତକ୍ଷଣାତ୍ ସୂଚନା ପାଇଥିଲେ କେଉଁଠାରେ କଣ ଘଟୁଛି। ଏହା ମଧ୍ୟରେ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରି ଅନେକଙ୍କୁ ହତ୍ୟା କରିଥିଲେ। ପ୍ରାୟ ୬୦ ଘଣ୍ଟା ସଂଘର୍ଷ ପରେ ସୁରକ୍ଷା ବାହିନୀ ୯ ଆତଙ୍କବାଦୀଙ୍କୁ ହତ୍ୟା କରିଥିବାବେଳେ ଅଜମଲ ଆମୀର କସାବଙ୍କୁ ଗିରଫ କରିଥିଲେ ଏବଂ ୨୦୧୨ ନଭେମ୍ବର ପୁନେରେ ଫାଶି ଦିଆଯାଇଥିଲା।

ନଭେମ୍ବର ୨୬, ୨୦୧୨ରେ ଅଜମଲ ଆମୀର କସାବଙ୍କୁ ସୁରକ୍ଷା ବାହିନୀ ଗିରଫ କରିଥିଲା। ପୋଲିସ ହେପାଜତରେ ଥିବା ବେଳେ ସେ ତା ଭୁଲ ସ୍ୱୀକାର କରିଥିଲା। ଏହା ପରେ କାସାବଙ୍କ ଶୁଣାଣି ପାଇଁ ଆର୍ଥର ରୋଡ ଜେଲ ଏବଂ ଉଜୱାଲ ନିକାମଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଥିବାବେଳେ ସ୍ୱତନ୍ତ୍ର କୋର୍ଟ ଅଞ୍ଜଳି ୱାଗମେରଙ୍କୁ କସାବଙ୍କ ଓକିଲ ଭାବରେ ନିଯୁକ୍ତ କରିଥିଲେ। ୩୧୨ ମାମଲାରେ କସାବକୁ ବିରୋଧରେ ଅଭିଯୋଗ ହୋଇଥିଲା। ମେ ୨୦୧୦ ରେ, କୋର୍ଟ କସାବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଏହା ପରେ ମାମଲା ହାଇକୋର୍ଟରେ ପହଞ୍ଚି କସାବ ନିଜକୁ ନାବାଳକ ବୋଲି ଦର୍ଶାଇ ଥିଲେ। କିନ୍ତୁ ବିଚାର ବିମର୍ଶ ପରେ ୨୧, ୨୦୧୨ ନଭେମ୍ବର୍ ରେ ତାକୁ ଫାଶି ଦିଆଯାଇଥିଲା।