ଗୁଜରାଟରେ ମୁସଲିମ ପ୍ରାର୍ଥୀଙ୍କୁ ହରାଇଛନ୍ତି ମୁସଲିମ ଭୋଟର
ବିଜୟୀ ମୁସଲିମ ବିଧାୟକ ଖେଡାୱାଲା କଂଗ୍ରେସ ଟିକେଟ୍ରୁ ଜିତିଛନ୍ତି….
ଗାନ୍ଧୀନଗର: ଅସାଦୁଦ୍ଦିନ୍ ଓବୈସୀ ଓ ଅରବିନ୍ଦ କେଜ୍ରିୱାଲଙ୍କ କାରଣରୁ ଗୁଜରାଟରେ ମୁସଲିମ ପ୍ରାର୍ଥୀ ନିର୍ବାଚନରେ ହାରି ଯାଇଛନ୍ତି ବୋଲି ବିଜୟୀ ମୁସଲିମ ବିଧାୟକ ଇମ୍ରାନ୍ ଖେଡାୱାଲା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମୁସଲିମ ଭୋଟରମାନେ ମୁସଲିମ ପ୍ରାର୍ଥୀଙ୍କ ବିଜୟ ରାସ୍ତାରେ କଂଟା ଭଳି କାମ କରିଛନ୍ତି । ଅସାଦୁଦ୍ଦିନ୍ ଓବୈସୀ ଗୁଜରାଟର ସବୁ ମୁସଲିମ ସଂଗଠନ ସହିତ ପରାମର୍ଶ କରି ପ୍ରାର୍ଥୀ ଠିଆ କରିଥିଲେ, ଭଲ ହୋଇଥାନ୍ତା ।
ଗୁଜରାଟ ଜନସଂଖ୍ୟାର ୯.୬୭% ହେଉଛନ୍ତି ମୁସଲିମ । ୨୦୧୭ ନିର୍ବାଚନରେ ୧୮୨ଟି ଆସନ ଭିତରୁ ତିନୋଟି ଆସନ ମୁସଲିମଙ୍କ ହାତକୁ ଆସିଥିଲା । କିନ୍ତୁ ୨୦୨୨ ନିର୍ବାଚନରେ ମୁସଲିମଙ୍କ ପାଖରେ ମାତ୍ର ଗୋଟିଏ ଆସନ ରହିଲା । ଦୁଇ ମୁସଲିମ ବିଧାୟକ ସେମାନଙ୍କ ଆସନକୁ ରକ୍ଷା କରିପାରିଲେନି । ବିଜୟୀ ମୁସଲିମ ବିଧାୟକ ଖେଡାୱାଲା କଂଗ୍ରେସ ଟିକେଟ୍ରୁ ଜିତିଛନ୍ତି । କଂଗ୍ରେସ ପାର୍ଟି ପକ୍ଷରୁ ୬ ଜଣ ମୁସଲିମଙ୍କୁ ଟିକେଟ୍ ଦିଆଯାଇଥିଲା । ନିର୍ବାଚନରେ ୫ ଜଣ ପ୍ରାର୍ଥୀ ହାରିଗଲେ । ଓବୈସୀ ଦେଶର ବଡ଼ବଡ଼ ଉଲେମାଙ୍କୁ ବୁଝାଉଛନ୍ତି । ମାତ୍ର ନିଜେ ବୁଝିବାକୁ ନାରାଜ ।
କଂଗ୍ରେସର ମୁସଲିମ ପ୍ରାର୍ଥୀଙ୍କ ପାଇଁ କିଛି ଆସନ ଛାଡ଼ିଦେବାକୁ ଗୁଜରାଟର ଅଭିଜ୍ଞ ମୁସଲିମ ନେତାମାନେ ଓବୈସୀଙ୍କୁ ବୁଝାଇଲେ । ମାତ୍ର ଓବୈସୀ କିଛି ବୁଝିବା ମତଲବରେ ନଥିଲେ । ସେ କେବଳ ତାଙ୍କ ଦଳର ସ୍ୱାର୍ଥ କଥା ଚିନ୍ତାକଲେ, ମୁସଲିମ ସମୁଦାୟର ଦୁର୍ଦ୍ଦଶା ବିଷୟରେ ସାମାନ୍ୟ ଚିନ୍ତା କଲେନାହିଁ । ଆପ୍ ଓ ଏଆଇଏମ୍ଆଇଏମ୍ ସବୁ ଆସନରେ ପ୍ରାର୍ଥୀ ଦେଇ ମୁସଲିମ ଭୋଟରଙ୍କୁ ବିଭାଜନ କଲେ । ଫଳରେ ମୁସଲିମଙ୍କ ହାତରୁ ଦୁଇଟି ଆସନ ଖସିଗଲା ।