ମଠରୁ ତଡ଼ା ଖାଇଲେ ମୁସଲିମ ଯୁବକ, ସାଧୁବେଶରେ ରହୁଥିଲେ

ଆଧାର କାର୍ଡରୁ ପ୍ରକୃତ ପରିଚୟ ମିଳିବା ପରେ ଗ୍ରାମବାସୀମାନେ ଭୀଷଣ ରାଗିଗଲେ । ଜଣେ ମୁସଲିମ ଯୁବକକୁ କୌଣସି ପରିସ୍ଥିତିରେ ମଠର ପୁରୋଧା ଭାବେ ନିଯୁକ୍ତ କରା ଯାଇପାରିବନି, ଏପରି ନିଷ୍ପତି କରି ଏକଜୁଟ ହେଲେ । ମିଳିମିଶି ସଂପୃକ୍ତ ଯୁବକକୁ ମଠ ଭିତରୁ ବାହାର କରିଦେଲେ ।

କର୍ଣ୍ଣାଟକ ରାଜ୍ୟର କାଲାବୁର୍ଗୀ ଜିଲ୍ଲା ଅନ୍ତର୍ଗତ ୟାଦଗିର ତାଲୁକ ଅଂଚଳରେ ରହିଛି ଗୁରୁମାଲେଶ୍ୱର ମଠ । ସେହି ମଠରେ ରହୁଥିଲେ ଦୀର୍ଘ ୪ ବର୍ଷ ଧରି ରହି ଆସୁଥିଲେ ମହମ୍ମଦ ନିସାର । ନିସାରଙ୍କୁ ୧୭ ବର୍ଷ ଚାଲୁଥିଲା, ସେ ଉକ୍ତ ମଠକୁ ଆସିଲେ, ନିଜକୁ ବାସବ ଦୀକ୍ଷା ସମୁଦାୟର ପିଲା ପରିଚୟ ଦେଇ ଛଦ୍ମନାମ ନିଜଲିଙ୍ଗା ସ୍ୱାମୀ ଦର୍ଶାଇ ମଠରେ ରହିବାକୁ ଅନୁମତି ଲୋଡ଼ିଲେ ।

ସାରା ଜୀବନ ସାଧୁ ହୋଇ ରହିବାର ସଂକଳ୍ପ କରି ମଠରେ ରହିଲେ । ଦ୍ୱାଦଶ ଶତାବ୍ଦୀର ଜଣାଶୁଣା ଦାର୍ଶନିକ ବାସବେଶ୍ୱରଙ୍କ କାବ୍ୟ କବିତାକୁ ଲୋକପ୍ରିୟ କରିବା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା । ପ୍ରାୟ ବର୍ଷକ ତଳେ ଜଣେ ପ୍ରବାସୀ ଭାରତୀୟ ଗୁଣ୍ଡୁଲୁପେଟ ଅଂଚଳରେ ତାଙ୍କ ନାମରେ ଥିବା ଜମିଟିକୁ ମଠକୁ ଦାନ କରିଥିଲେ । ସେହି ଜମିରେ ଗୁରୁମାଲେଶ୍ୱର ମଠର ଏକ ଶାଖା ଖୋଲି ତା’ର ପୁରୋଧା ଦାୟିତ୍ୱରେ  ନିଜଲିଙ୍ଗା ସ୍ୱାମୀଙ୍କୁ ନିଯୁକ୍ତ କରାଗଲା ।

ସବୁକିଛି ଠିକଠାକ ଚାଲିଥିଲା । ମାତ୍ର ଗତ ସପ୍ତାହରେ ନିଜାଲିଙ୍ଗା ତାଙ୍କ ମୋବାଇଲ ଫୋନ୍‌ଟିକୁ ମଠରେ ରହୁଥିବା ଅନ୍ୟ ଜଣେ ସାଧୁଙ୍କ ହାତକୁ ବଢ଼ାଇ ଦେଇ ପ୍ରାର୍ଥନା ସଭାକୁ ଚାଲିଗଲେ । ସଂପୃକ୍ତ ସାଧୁଜଣକ ନିଜଲିଙ୍ଗାଙ୍କ ମୋବାଇଲ ଫୋନ୍ ଅଣ୍ଡାଳି ସେଥିରେ ମହଜୁଦ ଫଟୋଗୁଡ଼ିକ ଦେଖୁଥିଲେ ।

ହଠାତ୍ ମୋବାଇଲ ଫୋନ୍‌ରେ ଥିବା ଏକ ଆଧାର କାର୍ଡ ଫଟୋ ଉପରେ ତାଙ୍କର ଦୃଷ୍ଟି ଅଟକିଗଲା । ୟେ କ’ଣ ଦେଖୁଛନ୍ତି ସେ? ସ୍ୱାମୀ ନିଜାଲିଙ୍ଗା ମିଛ ପରିଚୟ ଦେଇ ମଠରେ ରହି ଆସୁଛନ୍ତି । ସେ କଥାଟିକୁ ପ୍ରଘଟ କରିଦେଲେ । ଏତେଦିନ ଧରି ଯାହାକୁ ସାଧୁ ଭାବେ ଦେଖି ଆସୁଚନ୍ତି, ସେ ପ୍ରକୃତରେ ଜଣେ ମୁସଲିମ ଯୁବକ । ସତ ଜାଣିବା ପରେ  ନିଜଲିଙ୍ଗାକୁ ଗୋଟିଏ ସେକେଣ୍ଡ ମଠ ଭିତରେ ରଖିବାକୁ ଚାହିଁଲେନି ସ୍ଥାନୀୟ ଗ୍ରାମବାସୀ ।