ନରମିଲା ପଞ୍ଜାବ ପୁଲିସ; ମୁକ୍ତ ହେଲେ ୩୪୮ ଅଭିଯୁକ୍ତ

ସେମାନଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନଥିବାରୁ…

ଚଣ୍ଡିଗଡ଼: ଅମୃତପାଲ ମାମଲାରେ ଗିରଫ ୩୬୦ ଅଭିଯୁକ୍ତଙ୍କ ଭିତରୁ ୩୪୮ ଜଣଙ୍କୁ ପଞ୍ଜାବ ପୁଲିସ ଛାଡ଼ିଦେଇଛି । ତିନିଦିନ ତଳେ ଆପ୍‌ ସରକାରକୁ ଚେତାବନୀ ଦିଆଯାଇଥିଲା । ୨୪ ଘଂଟା ଭିତରେ ନିର୍ଦ୍ଦୋଷ ଯୁବକମାନଙ୍କୁ ମୁକ୍ତ କରିବା ପାଇଁ ଅକାଳୀ ତଖ୍‌ତ ପକ୍ଷରୁ କଡ଼ା ସତର୍କବାଣୀ ଜାରି କରିଥିଲା ।

ଖଲିସ୍ତାନୀ ନେତା ଅମୃତପାଲ ସିଂକୁ ଧରିବା ପାଇଁ ପଞ୍ଜାବ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ସମୟରେ ସନ୍ଦେହ କରି ଯେଉଁମାନଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନଥିବାରୁ ତୁରନ୍ତ ଛାଡ଼ିଦେବାକୁ ଅକାଳୀ ତଖତ୍‌ ମାର୍ଚ୍ଚ ୨୭ ତାରିଖରେ ତୁଣ୍ଡ ଖୋଲିଥିଲା ।

ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମୃତପାଲକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ପଞ୍ଜାବ ସରକାରଙ୍କ ଖଲିସ୍ତାନୀ ବିରୋଧୀ ଅଭିଯାନ ସଂପର୍କରେ ଅକାଳୀ ତଖତ୍‌ ପକ୍ଷରୁ ଅମୃତସରରେ ଅନୁଷ୍ଠିତ ବୈଠକରେ ଶିଖ ଓକିଲ, ବୁଦ୍ଧିଜୀବୀ, ସାମ୍ବାଦିକ, ଧାର୍ମିକ ନେତା, ସାମାଜିକ କର୍ମୀ ଓ ବହୁ ଶିଖ ସଂଗଠନ ଯୋଗଦାନ କରିଥିଲେ ।