ଜାତୀୟ ବିଜ୍ଞାନ ଦିବସ: ବ୍ୟାଧିଗ୍ରସ୍ତ ବିଶ୍ୱକୁ ସୁସ୍ଥ କରିବ ବିଜ୍ଞାନ
୨୦୨୩ରେ ଭାରତ ବିଶ୍ୱବାସୀଙ୍କର ନେତୃତ୍ୱ ନେବାର ସୁଯୋଗ ପାଇଛି….
ନୂଆଦିଲ୍ଲୀ: ମାନବ ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳିବାରେ ବିଜ୍ଞାନର ଅବଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକୁ ଧ୍ୱଂସମୁଖରେ ପକାଇବା କ୍ଷେତ୍ରରେ ବିଜ୍ଞାନର ଅବଦାନକୁ ଏଡ଼ାଇ ହେବନି । ସରଳ ଭାଷାରେ କହିଲେ, ବିଜ୍ଞାନ ଏଭଳି ଏକ ମହୌଷଧି ଯାହା ଜୀବଜଗତକୁ ସୁସ୍ଥ ବାତାବରଣ ଭିତରେ ରଖିପାରିବ ଓ ଆବଶ୍ୟକ ପଡ଼ିଲେ ପୃଥିବୀ ପୃଷ୍ଠରୁ ଜୀବଜଗତର ଅସ୍ତିତ୍ୱ ଲୋପ କରିଦେବ । ତେଣୁ ବିଜ୍ଞାନକୁ କିଏ କୋଉ ଦିଗରେ ବ୍ୟବହାର କରିପାରିବ; ତାହା ପ୍ରତ୍ୟେକ ଦେଶର ମାନସିକତା ଉପରେ ନିର୍ଭର କରେ ।
ପରମାଣୁ ଶକ୍ତି ବଳରେ ମରୁଭୂମିକୁ ସୁଜରା ସୁଫଳା ଶସ୍ୟକ୍ଷେତ୍ରରେ ପରିଣତ କରାଯାଉଛି । ପରମାଣୁ ଶକ୍ତିକୁ ବ୍ୟବହାର କରି ଗୋଟିଏ ଦେଶକୁ ଗୋଲାମ କରି ଦିଆଯାଉଛି । ୟୁକ୍ରେନର ଅସ୍ତିତ୍ୱକୁ ଲୋପ କରି ଦେବା ପାଇଁ ରୁଷିଆ ଆକ୍ରମଣ ଜାରି ରଖିବା ପଛରେ ବିଜ୍ଞାନର ଅଧୋଗତି ଦାୟୀ । ରୁଷିଆ ଚାହିଁଥିଲେ ୟୁକ୍ରେନର ଘନିଷ୍ଠ ବନ୍ଧୁ ହୋଇପାରିଥାନ୍ତା । ମାତ୍ର ବିଜ୍ଞାନର କୁହୁକ ଶକ୍ତିକୁ କରଗତ କରିବା ପରେ ରୁଷିଆର ଅହଂକାର ଏତେମାତ୍ରାରେ ବଢ଼ିଯାଇଛି ଯେ ସଂସାରର ସବୁ ଦେଶ ଓ ଜାତି ତା’ ଦୃଷ୍ଟିରେ ଅତି ନଗଣ୍ୟ ହୋଇଯାଇଛି ।
ବିଜ୍ଞାନର ବିକୃତ ଚେହେରା ପ୍ରତି ମଣିଷ ଆକୃଷ୍ଟ କ’ଣ ପାଇଁ? ପ୍ରକୃତି ସହିତ ଖେଳିବା ଆମ ସମସ୍ତଙ୍କ ପାଇଁ ମହଙ୍ଗା ପଡ଼ିବ; ତାହାର ସାମାନ୍ୟ ଆଭାସ ଆମକୁ ଚିନ୍ତାରେ ପକାଇଛି । ପ୍ରାକୃତିକ ସବୁଜିମାକୁ ଧ୍ୱଂସ କରିବାର ପରିଣାମ ସ୍ୱରୂପ ପୃଥିବୀ ଦିନକୁ ଦିନ ଉତପ୍ତ ହେଉଛି; ପ୍ରକାଣ୍ଡ ବରଫ ପାହାଡ଼ ତରଳିବାକୁ ଲାଗିଛି ।
ସମୁଦ୍ର ପତନ ବୃଦ୍ଧି ପାଇବାକୁ ଲାଗିଛି । ପୃଥିବୀର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଆମ ଶରୀରର ତାପମାତ୍ରା ବୃଦ୍ଧି ପାଇଲେ, ଆମେ ଅସୁସ୍ଥ ଅନୁଭବ କରୁ; ଜ୍ୱର ହୋଇଛି ଭାବି ଡାକ୍ତରଙ୍କ ପାଖକୁ ଯାଉ । ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ବ୍ୟବହାର କରି ଆରୋଗ୍ୟ ଲାଭ କରୁ । ଠିକ ସେମିତି ଆମ ପୃଥିବୀର ସ୍ୱାସ୍ଥ୍ୟ ଏବେ ଭଲ ନାହିଁ । ଆତ୍ମସ୍ୱାର୍ଥୀ ମଣିଷର ଲୋଲୁପ ଦୃଷ୍ଟିରେ ପଡ଼ି ପ୍ରାକୃତିକ ବନଭୂମି ଆଜି ବ୍ୟାଧିଗ୍ରସ୍ତ ।
ତାକୁ ସୁସ୍ଥ କରିବାକୁ ହେଲେ ଆମକୁ ବିଜ୍ଞାନର ମହତ ଉଦ୍ଦେଶ୍ୟ ଆଦରିବାକୁ ପଡ଼ିବ । ୨୦୨୩ରେ ଭାରତ ବିଶ୍ୱବାସୀଙ୍କର ନେତୃତ୍ୱ ନେବାର ସୁଯୋଗ ପାଇଛି । ଏଭଳି ସୁଯୋଗକୁ ହାତଛଡ଼ା କରିବା ଭାରତ ପକ୍ଷେ ଆଦୌ ଉଚିତ ନୁହେଁ ।
ଆଧୁନିକ ବିଜ୍ଞାନର ମହତ ଉଦ୍ଦେଶ୍ୟକୁ ପ୍ରତିପାଦିତ କରିବା ପାଇଁ ଭାରତକୁ ଅମୃତର ସନ୍ଧାନ କରିବାକୁ ପଡ଼ିବ । ରୋଗଗ୍ରସ୍ତ ପୃଥିବୀକୁ ସୁସ୍ଥ କରିବାକୁ ପଡ଼ିବ । ଅସୁସ୍ଥ ପୃଥିବୀ ମୁହଁରେ ବିଜ୍ଞାନର ପଥି ଦେବାକୁ ପଡ଼ିବ, ପୃଥିବୀ ସୁସ୍ଥ ହେଲେ ତା’ କୋଳରେ ବସବାସ କରୁଥିବା ପ୍ରାଣୀ ଜଗତ ସୁସ୍ଥ ଜୀବନ ଯାପନ କରିପାରିବ ।