ବିଗତ ୧୦ ଦିନ ଧରି ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ମୌସୁମୀ ବର୍ଷାରେ ଭାରତର ଉତରାଂଚଳ ଭାସୁଛି । ମୂଷଲଧାରାରେ ବାଦଲଫଟା ବର୍ଷା ପ୍ରଭାବରେ ପାହାଡ଼ର ଉପରମୁଣ୍ଡ ଧସେଇଯିବା କାରଣରୁ ପାହାଡ଼ିଆ ଇଲାକାରେ ବସବାସ କରୁଥିବା ଲୋକଙ୍କୁ ଦାରୁଣ କଷ୍ଟ ଭୋଗିବାକୁ ପଡ଼ିଛି । ପୁରୁଣା ମନ୍ଦିର ଭାସି ଯାଇଛି, ପାହାଡିଆ ରାସ୍ତାଘାଟ, ପୋଲ ଧୋଇଯାଇଛି ।
ଉତରାଖଣ୍ଡର ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ମଙ୍ଗଳବାର ଦିନ ପାର୍ବତ୍ୟାଂଚଳରେ ଅବସ୍ଥିତ ଧରାଳି ଗ୍ରାମ ଅସ୍ତିତ୍ୱ ହରାଇଛି । ଗାଁକୁ ଯାଇଥିବା ସଡ଼କ ଉପରେ ପ୍ରବାହିତ ହେଉଛି ୨୦ ଫୁଟ ଉଚ୍ଚର ବନ୍ୟାପାଣି । କୋଠାବାଡ଼ି ଭାଙ୍ଗିଯାଇଛି ।
ସେନାବାହିନୀକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସରକାରୀ ହିସାବ ମୁତାବକ ଶତାଧିକ ଲୋକଙ୍କର ଖୋଜଖବର ମିଳୁନି । ବୁଧବାର ସକାଳେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଉତରକାଶୀ ଅଂଚଳରୁ ପ୍ରାୟ ୧୩୦ ଜଣଙ୍କୁ ଉଦ୍ଧାର କରିଛି ସେନାବାହିନୀ ।
ଉତରାଖଣ୍ଡର ଧରାଳି ଗ୍ରାମଟି ଏକ ପର୍ଯ୍ୟଟନ ପୀଠ । ଗ୍ରୀଷ୍ଣ ସମୟରେ ଦେଶ ବିଦେଶରୁ ବହୁତ ପର୍ଯ୍ୟଟକ ଧରାଳୀକୁ ଆସି ଏଠାକାର ମନୋହର ପରିବେଶକୁ ଉପଭୋଗ କରନ୍ତି । ଧରାଳି ନିକଟରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ହର୍ଷିଲ ଅଂଚଳର ସେନା ଶିବିର ବନ୍ୟାର ଶିକାର ହୋଇଛି । ଅନ୍ୟୁନ ୧୦ ଜଣ ସେନା ଯବାନ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି । ବନ୍ୟା କାରଣରୁ ରାସ୍ତାଘାଟ ଧୋଇଯିବା କାରଣରୁ ବିପନ୍ନଙ୍କ ନିକଟରେ ପହଂଚିବା ଧିମେଇ ଯାଇଛି ।