ପାଟନା: ବିହାର ନିର୍ବାଚନ ଫଳାଫଳ ପ୍ରକଶ ପାଇଛି । ଏନେଇ ରବିବାର ମଧ୍ୟାହ୍ନରେ ବସିବ ଏନଡିଏ ବୈଠକ। ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବେ ଏବଂ ଅନ୍ୟାନ୍ୟ ବାବଦରେ ଆଲୋଚନା ହେବ। ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
ରବିବାର ଦିନ ଏନଡିଏର ନିର୍ବାଚିତ ବିଧାୟକମାନେ ବୈଠକରେ ବସିବେ। ଏହାପରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବ। ଏହାପରେ ସମସ୍ତ କଥା ସାର୍ବଜନୀନ କରାଯିବ ବୋଲି ନୀତୀଶ କହିଛନ୍ତି। ଆଜି ବସିବାକୁ ଥିବା ଏନଡିଏ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନଥିବା ସୂଚନା ରହିଛି।
ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୁରୁବାର ପ୍ରଥମ ଥର ପାଇଁ ନୀତୀଶ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା କରିଥିଲେ। ସେ କହିଥିଲେ, ଏନଡିଏକୁ ଜନାଦେଶ ମିଳିଛି। ଏନଡିଏ ବୈଠକ ଶୁକ୍ରବାର ବସିବ। ଏହି ବୈଠକରେ ସ୍ଥିର ହେବ କିଏ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଶପଥ ଗ୍ରହଣ ବାବଦରେ ମଧ୍ୟ ତାରିଖ ସ୍ଥିର ହୋଇନି ବୋଲି ସେ କହିଥିଲେ।
ଅନ୍ୟପଟେ ବୁଧୁବାର ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଅବସରରେ ମୋଦି ନୀତୀଶ କୁମାର ପୁଣି ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି। ଏହାସହ ୧୬ ନଭେମ୍ବରରେ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଜଣାପଡ଼ିଛି। ତେବେ କେଉଁମାନେ ମନ୍ତ୍ରୀ ରହିବେ, ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ୧୨୫ଟି ଆସନ ଜିତି ବିହାରରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି ୭୪ଟି ଆସନରେ ବିଜୟୀ ହୋଇଥିବା ବେଳେ ନୀତୀଶଙ୍କ ଦଳ ଜେଡିୟୁ ୪୩ଟି ଆସନରେ ବିଜୟୀ ହୋଇଛି। ଚଳିତ ଥର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ସେ ସପ୍ତମ ଥର ପାଇଁ ଏହି ପଦବୀରେ ବସିବେ।