ନିଟ୍‌ ପରୀକ୍ଷା ତଂଚକତା: ଭିଡ ଭିତରେ ଖସିଯିବାକୁ ବସିଥିଲା

ନୂଆଦିଲ୍ଲୀ: ଜୁନ ୧୪ ତାରିଖ ଦିନ ନିଟ୍‌ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାର ଥିଲା । କିନ୍ତୁ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ତରବରିଆ ଭାବେ ନିଟ୍‌ ପରୀକ୍ଷା ଘୋଷଣା କରାଗଲା କାହିଁକି? ଏମିତି ଏକ ପ୍ରଶ୍ନକୁ ନିଟ୍‌ ପରୀକ୍ଷା ସଂଚାଳନ କମିଟି ଏଡ଼ାଇ ଯିବାକୁ ବସିଛି ।

ଗୋଟିଏ କେନ୍ଦ୍ରରୁ ୬୭ରୁ ଅଧିକ ପରୀକ୍ଷାର୍ଥୀଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଗଲା କାହିଁକି? ଏ ପ୍ରଶ୍ନକୁ ମଧ୍ୟ ଚତୁରତାର ସହିତ ଏଡ଼ାଇ ଯିବାକୁ ବସିଥିଲେ; ମାତ୍ର ସୁପ୍ରିମକୋର୍ଟ ନିଟ୍‌ ପରୀକ୍ଷାର ପବିତ୍ରତା କ୍ଷୁଣ୍ଣ ହୋଇଛି କହି ମାମଲାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି ।

ନିର୍ବାଚନ ଫଳାଫଳ ଉପରେ ସାରାଦେଶ ଦୃଷ୍ଟି ରଖିଥିଲା ବେଳେ ନିଟ୍‌ କତୃପକ୍ଷ ଆପଣା ଚାତୁରୀ ଲୁଚାଇ ଦେବାକୁ ବସିଥିଲେ । କିନ୍ତୁ ଡାକ୍ତର ଡାକ୍ତରାଣୀ ହେବା ଆଶାରେ ନିଟ୍‌ ପରୀକ୍ଷାର କଡ଼ା କଟକଣାକୁ ହସିହସି ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଏ ପ୍ରକାର ଜାଲିଆତିକୁ ସହଜରେ ମାନିଯିବେ କେମିତି?

ମାମଲାଟି ଏବେ ସୁପ୍ରିମକୋର୍ଟଙ୍କ ଇଜଲାସରେ । ବିଚାର କାହା ସପକ୍ଷରେ ଯିବ ସେଇଟା ସମୟ କହିବ । ମାତ୍ର ଆମେ ଏତିକି କହିଦେଉଛୁ ଯେ କଡ଼ା କଟକଣା ଯୋଉଠି, ସବୁତକ ଅଳିଆ କାମ ସେଇଠି ।