ନେପାଳ ବିମାନ ଦୁର୍ଘଟଣା ଘଟଣା: ମିଳିଲା ବ୍ଲାକ ବକ୍ସ

ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ..

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି । ଏହାର ତର୍ଜମା କରାଯିବ ତା ପରେ ଜଣାପଡ଼ିବ କେଉଁ ପରିସ୍ଥିତିରେ ବିମାନର ଦୁର୍ଘଟଣା ଘଟିଲା । ରବିବାର ତାରା ଏୟାରର ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜମସମ ଯାଉଥିଲା । ଉଡ଼ାଣର ୧୫ ମିନିଟ ପରେ ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ପାଖ ନଦୀ କୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା । ନେପାଳ ସେନା ପକ୍ଷରୁ ସର୍ଚ୍ଚ ଅଫରେସନ ବେଳେ ବିମାନର ଧ୍ୱଂସାବଶେଷ ମିଳିଥିଲା । ତେବେ ଖରାପ ପାଗ ଯୋଗୁଁ ସର୍ଚ୍ଚ ଅପରେସନ ଅଧାରୁ ବନ୍ଦ ରହିଥିଲା । ଗତକାଲି ସକାଳେ ପୁଣି ଅପରେସନ ଆରମ୍ଭ ହୋଇଥିଲା ।

ନେପାଳ ସେନା ଓ ପୁଲିସ ମିଳିତ ଭାବେ ବିମାନର ଦୁର୍ଘଟଣାସ୍ଥଳ ଠାବ କରିଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ଦେଖି ସନ୍ଦେହ କରାଯାଉଛି ଯେ ବିମାନଟି ପାହଡ ସହ ଧକ୍କା ହୋଇଛି । ତୁଷାରପାତ ଏବଂ ଘନ କୁହୁଡି ଯୋଗୁ ବିମାନଟି ପାହାଡ ସହ ଧକ୍କା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ତାରା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ନେପାଳ ସରକାର ଏକ ପାଞ୍ଚ ଜଣିଆ କମିଶନ ଗଠନ କରିଛନ୍ତି ।