ପୁରୁଣା ଫଟୋ ରଖି ଦାଉଦକୁ ଧରିବ ଏନ୍‌ଆଇଏ

ଅନ୍ୟ ଚାରିଜଣଙ୍କର ପୁରୁଣା ଓ ନୂଆ ଫଟୋ ପ୍ରକାଶ ପାଇଛି….

ନୂଆଦିଲ୍ଲୀ: ଫାଇଲରେ ଦାଉଦ ଇବ୍ରାହିମର ପୁରୁଣା ଫଟୋ ରହିଛି । ତାକୁ ଆଧାର କରି ଦାଉଦକୁ ଧରିବା ସହଜ ହେବନି ବୋଲି ବହୁ ତୁଙ୍ଗ ଅଧିକାରୀମାନେ ଖୋଲାଖୋଲି ମନ୍ତବ୍ୟ ଦେବାପରେ ଏବେ ଏନ୍‌ଆଇଏ ବିକଳ୍ପ ରାସ୍ତା ସନ୍ଧାନରେ ଅଛି । ପାକିସ୍ତାନରେ ଦାଉଦର ଘର ଠାବ କରିବା ଭାରତ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ପାଲଟିଛି । କହିବାର କଥା ହେଉଛି, ଗୁରୁବାର ଏନ୍‌ଆଇଏ ପକ୍ଷରୁ ଦାଉଦ୍‌ ଇବ୍ରାହିମ ଓ ଡି’ କମ୍ପାନୀ ସହିତ ଜଡ଼ିତ ଲୋକମାନଙ୍କ ସମ୍ପର୍କରେ ଗୁପ୍ତତଥ୍ୟ ପ୍ରଦାନକାରୀଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛି । ଦାଉଦ ସମ୍ପର୍କରେ ଗୋପନୀୟ ତଥ୍ୟ ପ୍ରଦାନକାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଛୋଟା ସାକିଲ ସମ୍ପର୍କୀତ ତଥ୍ୟ ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏହି ଦୁଇଜଣଙ୍କୁ ବାଦଦେଲେ, ତାଲିକାରେ ଅନିସ ଇବ୍ରାହିମ, ଜାଭେଦ ଚିକ୍‌ନା ଓ ଟାଇଗର ମେମନ୍‌ ନାମ ରହିଛି । ପ୍ରଥମ ଥର ପାଇଁ ଏନ୍‌ଆଇଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରୋଚକ ଖବର ହେଉଛି, ଏନ୍‌ଆଇଏ ପ୍ରସାରଣ କରିଥିବା ୫ ଜଣ କୁଖ୍ୟାତ ଦାଗୀଙ୍କର ଫଟୋ ଭିତରେ କେବଳ ଦାଉଦର ପୁରୁଣା ଓ ନୂଆ ଫଟୋ ସମାନ ରହିଛି । ଅନ୍ୟ ଚାରିଜଣଙ୍କର ପୁରୁଣା ଓ ନୂଆ ଫଟୋ ପ୍ରକାଶ ପାଇଛି । ଏନ୍‌ଆଇଏ ପାଖରେ ଦାଉଦର ୧୯୯୩ ଅମଳର ଫଟୋ ରହିଛି ।

ମୁମ୍ବାଇରେ ଡ୍ରଗ୍ସ ଓ ବେଆଇନ ସଂପତି କାରବାର ଜରିଆରେ ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ ଚାଲିଥିବାର ଖବର ଏନ୍‌ଆଇଏ ପାଖରେ ପହଂଚିବା ପରେ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏବେ ମଧ୍ୟ ଭାରତରେ ଡି’ କମ୍ପାନୀ ସକ୍ରିୟ ରହିଛି । ଆଇଏସ୍‌ଆଇର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି । ଭାରତରେ ରହୁଥିବା ପାକିସ୍ତାନ ସମର୍ଥକଙ୍କଠାରୁ ପାଣ୍ଠି ସଂଗ୍ରହ କରି ଆତଙ୍କୀ ସଂଗଠନକୁ ଦେବା କାମରେ ଡି’ କମ୍ପାନୀ ନିୟୋଜିତ ରହିଛି । ମୁମ୍ବାଇ, ଠାଣେ ଓ ତା’ ଆଖପାଖ ଇଲାକାରେ ନିଶା କାରବାର, ଠିକାଦାରଙ୍କୁ ଧମକ, ଦାଦାବଟି, ଜୁଆଖେଳ ବୃଦ୍ଧି ପାଉଛି ।