ୟେମେନରେ ଏକ ହତ୍ୟାକାଣ୍ଡରେ ଦୋଷୀ ପ୍ରମାଣିତ ହୋଇ ଫାଶୀଦଣ୍ଡକୁ ଅପେକ୍ଷା କରିଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ସବୁଦିନିଆ ଆଶ୍ୱସ୍ତି ମିଳିଛି । ଭାରତ ଓ ୟେମେନ ସରକାରୀ ଅଧିକାରୀଙ୍କ ଘନଘନ ଆଲୋଚନା ଓ ପାରସ୍ପରିକ ସହଯୋଗ କ୍ରମେ ଫଳବତୀ ହୋଇଛି । ନିମିଷାଙ୍କ ମୃତ୍ୟୁଦଣ୍ଡକୁ କିଛିଦିନ ପାଇଁ ଗଡ଼ାଇ ଦିଆଯାଇଥିଲା । ମାତ୍ର ଉଭୟ ସରକାରଙ୍କ ନିରନ୍ତର ପ୍ରଚେଷ୍ଟାର ଫଳସ୍ୱରୂପ ନିମିଷାଙ୍କୁ ସବୁଦିନ ପାଇଁ ଫାଶୀଖୁଂଟରୁ ମୁକ୍ତି ମିଳିଯାଇଚି ।
ୟେମେନ ସରକାରଙ୍କ ହୃଦବୋଧ ହୋଇଛି ଯେ ନିମିଷାଙ୍କୁ ୟେମେନ ଯୁବକ ମାହଦି ଆଦୌ ବିବାହ କରି ନଥିଲେ । ଏକ ଜାଲ ଫଟୋକୁ ଆୟୁଧ କରି ମାହଦି ନିମିଷାଙ୍କୁ ବ୍ଲାକମେଲ କରି ଆସୁଥିଲେ । ନିମିଷାଙ୍କ ପାସପୋର୍ଟକୁ ବଳପୂର୍ବକ ପାଖରେ ରଖି ନିମିଷାଙ୍କ ରୋଜଗାରକୁ ହଡ଼ପ କରୁଥିଲେ ।
ମାହଦିଙ୍କ ଶାରୀରିକ ନିର୍ଯାତନା ସହି ନପାରି ନିମିଷା ସବୁଦିନ ପାଇଁ ଖସିଯିବାକୁ ଯୋଉ ଉପାୟ ଅବଲମ୍ନ କରିଥିଲେ । ସେଥିରେ ନିଜେ ଫସିଗଲେ, ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ ଜେଲକୁ ଗଲେ । ୟେମେନ କୋର୍ଟ ମାମଲାର ବିଚାର କରି ନିମିଷାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ ।
ଝିଅକୁ ମୃତ୍ୟୁ କବଳରୁ ଖସାଇବା ପାଇଁ ନିମିଷାଙ୍କ ପରିବାର ବ୍ଲଡ୍ ମନି ଦେବାକୁ ରାଜି ହେଲେ । ମାତ୍ର ସବୁ ଉଦ୍ୟମ ଫସର ଫାଟିଲା । ଅବଶେଷରେ ନିମିଷାଙ୍କ ପରିବାର ଭାରତ ସରକାରଙ୍କୁ ନେହୁରା ହୋଇଥିଲା । ଭାରତ-ୟେମେନ ସରକାରଙ୍କ ମିଳିତ ଉଦ୍ୟମ ଫଳରେ ନିମିଷାଙ୍କୁ ମୃତ୍ୟୁଦଣ୍ଡରୁ ସ୍ଥାୟୀ ଆଶ୍ୱସ୍ତି ମିଳିଯାଇଛି ।