ପ୍ରଧାନମନ୍ତ୍ରୀ ପଦ ରେସରେ ନିତିଶ ଓ କେଜରିୱାଲ!

କେଜରିୱାଲଙ୍କୁ ନିତିଶଙ୍କ ସହିତ ଆଣିବାରେ ବିପକ୍ଷ ସଫଳ ହେବକି ନାହିଁ ତାହା ଆଗାମି ଦିନରେ ଜଣାପଡ଼ିବ…..

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ୨ ବର୍ଷ ପୂର୍ବରୁ ହିଁ ବିପକ୍ଷରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଭିଡ଼ା ଓଟରା ଆରମ୍ଭ ହୋଇଯାଇଛି । ବିପକ୍ଷ ପୁଣି ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୁକାବିଲା କରିବ । ଏନଡ଼ିଏ ଛାଡ଼ି ଆରଜେଡ଼ି ସହିତ ବିହାରରେ ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିପକ୍ଷକୁ ଏକଜୁଟ କରିବାର ଅଭିଯାନ ଆରମ୍ଭ କରିଛନ୍ତି ।

ସେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ନିତିଶ ଏବଂ କେଜରିୱାଲଙ୍କ ସାକ୍ଷାତ ଉପରେ କ୍ଷମତାସୀନ ବିଜେପି ଏବଂ ବିପକ୍ଷ ସହିତ ରାଜନୀତିରେ ରୁଚି ରଖୁଥିବା ବିଶ୍ଳେଷକମାନଙ୍କର ନଜର ରହିଛି । ନିତିଶ ଏବଂ କେଜରିୱାଲଙ୍କ ସହିତ ସାକ୍ଷାତର ଫଳାଫଳ କ’ଣ ହେବ ଏହି ପ୍ରସଙ୍ଗରେ ବିପକ୍ଷ ଏକତାର ଭବିଷ୍ୟତ ଅଧିକ ମାତ୍ରାରେ ନିର୍ଭର କରିବ ।

କାରଣ ୨ ଜଣ ନେତା ପ୍ରଧାନମନ୍ତ୍ରୀ ପଦଲାଗି ଦାବିଦାର ବୋଲି ଗ୍ରହଣ କରାଯାଉଛି । ଜେଫିୟୁ ପକ୍ଷରୁ ନିକଟରେ ସିନା ନିତିଶଙ୍କର ଦାବିଦାରୀକୁ ଖାରଜ କରାଯାଇଛି କିନ୍ତୁ ଆପି ପାର୍ଟି ପ୍ରଥମରୁ ହିଁ କେଜରିୱାଲଙ୍କୁ ୨୦୨୪ର ସବୁଠାରୁ ମଜବୁତ ନେତା ଭାବେ ଦାବିଦାର ଉପସ୍ଥାପନ କରିସାରିଛି । ଆପ ପକ୍ଷରୁ ଜୋର ଦିଆଯାଉଛି ଯେ ମୋଦୀଙ୍କ ବିରୁଦ୍ଧରେ କେଜରିୱାଲ ହିଁ ସବୁଠାରୁ ଦମଦାର ବିକଳ୍ପ । କେଜରିୱାଲଙ୍କୁ ନିତିଶଙ୍କ ସହିତ ଆଣିବାରେ ବିପକ୍ଷ ସଫଳ ହେବକି ନାହିଁ ତାହା ଆଗାମି ଦିନରେ ଜଣାପଡ଼ିବ ।