ନୀତୀଶଙ୍କ ନଜର ଏବେ ପ୍ରଧାନମନ୍ତ୍ରୀ ପଦ ଉପରେ !

ନୂଆଦିଲ୍ଲୀ: ଜେଡିୟୁ ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱାହା ବୟାନ ପରେ ବିହାର ରାଜନୀତି ସରଗରମ ରହିଛି । କାରଣ ବିହାରରେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜାତି ଜନଗଣନାକୁ ନେଇ ବିରୋଧୀ ଆରଜେଡି ଓ ଜେଡିୟୁର ଆଭିମୁଖ୍ୟ ସମାନ ରହିଛି । ଯାହାକି ଶାସକ ଦଳରେ ଥିବା ପ୍ରମୁଖ ଦଳ ବିଜେପିର ଆଭିମୁଖ୍ୟରୁ ଭିନ୍ନ । ତେଣୁ ବିହାରରେ ଆଗାମୀ ଦିନରେ ନୀତୀଶ ଓ ଲାଲୁ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉପେନ୍ଦ୍ର କୁଶୱା କହିଛନ୍ତି, ମୋଦି ଦେଶରେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ତାଙ୍କୁ ପ୍ରଧାନମନ୍ତ୍ରୀ କରାଇଛନ୍ତି । ଏବେ ସେ ଭଲ କାମ କରୁଛନ୍ତି । ହେଲେ ତାଙ୍କ ବ୍ୟତୀତ ଦେଶରେ ଆହୁରି ନେତା ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ତାଙ୍କ ପାଖରେ ସେ ଦକ୍ଷତା ରହିଛି । ଯେପର୍ୟ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି, ସେ ପର୍ୟ୍ୟନ୍ତ ତାଙ୍କ ପଦକୁ ଚ୍ୟାଲେଞ୍ଜ କରିବାକୁ ମୁଁ କହୁ ନାହିଁ, ଆମେ ତାଙ୍କ ସହ ଗୋଟିଏ ମଞ୍ଚରେ ରହିଛୁ । କିନ୍ତୁ ତାଙ୍କ ବ୍ୟତୀତ ଅନେକ ଲୋକ ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ସକ୍ଷମ । ସେଥିମଧ୍ୟରେ ନୀତୀଶ କୁମାର ଅନ୍ୟତମ । ସୂଚନାଯୋଗ୍ୟ, ଟିଏମସି ସୁପ୍ରିମୋ ଅଣ ବିଜେପି ଦଳକୁ ଏକଜୁଟି କରି ଶାସକ ବିଜେପିର ବିରୋଧୀ ମଞ୍ଚକୁ ମଜବୁତ କରିବାକୁ ଯୋଜନା କରୁଛନ୍ତି । ଏହି ବିରୋଧୀ ଦଳ ମଧ୍ୟରୁ କିଛି ଦଳର ମତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ମଞ୍ଚରେ ସାମିଲ ହେଲେ ଠିକ ହେବ । ତେଣୁ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଜେଡିୟୁକୁ ଅଲଗା କରିବାକୁ ବିରୋଧୀ ଦଳ ନୀତୀଶଙ୍କୁ ମନାଇବାକୁ ଯୋଜନା କରୁଥିବା ସୂଚନା ରହିଛି ।