ପାଟନା: ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ତାଙ୍କୁ ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୭ମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ଏହି ପଦର ଦାୟିତ୍ୱ ନେଇଛନ୍ତି। ପୁଣି ଥରେ ନୂଆକରି ନିଜର ଦାୟିତ୍ୱ ନିର୍ବାହ କରିବେ ।

ନୀତୀଶ କୁମାରଙ୍କ ଟିମ୍ରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେମାନେ ହେଲେ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ। ଉଭୟ ବିହାର ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ଓ ଉପନେତା ଭାବେ କାର୍ଯ୍ୟ କରୁଥିଲେ। ଆଜି ଉଭୟଙ୍କୁ ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଶପଥ ପାଠ ଉତ୍ସବ ପାଇଁ ରାଜଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। କରୋନା କଟକଣା ଭିତରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜେପି ଠାରୁ ଜେଡିୟୁ କମ ଆସନ ପାଇଛି। ତଥାପି ପୂର୍ବ ବୁଝାମଣା ଅନୁଯାୟୀ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।