ଶପଥ ନେବାର ୩ଦିନ ପରେ ଇସ୍ତଫା ଦେଲେ ବିହାରର ଶିକ୍ଷା ମନ୍ତ୍ରୀ

ପାଟନା: ଆରମ୍ଭରୁ ଅଡ଼ୁଆରେ ବିହାରରେ ଗଠନ ହୋଇଥିବା ନୂଆ ସରକାର। ଇସ୍ତଫା ଦେଲେ ବିହାରର ଶିକ୍ଷା ମନ୍ତ୍ରୀ ମେୱାଲାଲ ଚୌଧୁରୀ। କ୍ଷମତା ଦଖଲ କରିଥିବା ଏନଡିଏର ଏହି ମନ୍ତ୍ରୀ ଦୁର୍ନୀତି ମାମଲାରେ ଫସି ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।ଏହାର ଦିନକ ପରେ ନୀତୀଶ ସରକାରରେ ତାଙ୍କୁ ଶିକ୍ଷାମନ୍ତ୍ରୀ ପଦ ମିଳିଥିଲା। ହେଲେ ତାଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ଆଧାର କରି ବିରୋଧୀ ଦଳଗୁଡ଼ିକ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଥିଲେ। କାରଣ ୨୦୧୭ରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଦୁର୍ନୀତି ମାମଲାରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ କେମିତି ଏନଡିଏ ମନ୍ତ୍ରୀ କଲା, ତା’କୁ ନେଇ ଚାରିଆଡ଼ୁ ପ୍ରଶ୍ନ ଉଠିଥିଲା। ବିବାଦ ତୀବ୍ର ହେବାରୁ ଆଜି ମେୱାଲାଲ ଚୌଧୁରୀ ଶପଥ ନେବାର ୩ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଏଠାରେ ଉଲେଖଥାଉକି, ମେୱାଲାଲ ଭାଗଲପୁର କୃଷି ବିଦ୍ୟାଳୟର କୁଳପତି ଥିବା ବେଳେ ଆସିସଷ୍ଟାଣ୍ଟ ପ୍ରଫେସର ଓ ଜୁନିୟର ବୈଜ୍ଞାନିକଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତତ୍କାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଶ୍ରୀ ଚୌଧୁରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ତେବେ ଏଯାଏ ଏହି ମାମଲାରେ କୌଣସି ଚାର୍ଜଶିଟ୍‌ ଦାଖଲ ହୋଇନାହିଁ।