ପାଟନା: ବିହାର କ୍ୟାବିନେଟ୍ ସଂପ୍ରସାରଣ ଶେଷ ହୋଇଛି । ମାତ୍ର ନୀତୀଶଙ୍କ ଗୋଠର ଜଣେ ମହିଳା ବିଧାୟିକା ଗଣମାଧ୍ୟମ ଆଗରେ ମନର କଥା ଶୁଣାଇଛନ୍ତି । ଜେଡିୟୁ ବିଧାୟିକା ବୀମା ଭାରତୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ବିଧାୟିକା ଲେଶି ସିଂହଙ୍କ ପ୍ରତି ଏତେ ଉଦାର କ’ଣ ପାଇଁ? ଭିନ୍ନଭିନ୍ନ ସମୟରେ ନୀତୀଶଙ୍କ କ୍ୟାବିନେଟରେ ବହୁ ବିଧାୟକଙ୍କୁ ମନ୍ତ୍ରୀପଦ ମିଳୁଥିବା ବେଳେ ମାତ୍ର ଜଣେ ବିଧାୟିକାଙ୍କୁ ପ୍ରତି ଥର ମନ୍ତ୍ରୀପଦ ମିଳୁଛି ।
ନୀତୀଶଙ୍କର ଏପରି ମନୋଭାବ ମୋତେ ଗଭୀର ଆଘାତ ଦେଇଛି । ଲେଶି ସିଂହ ପାଖରେ ଏପରି କି ଗୁଣମାନ ନୀତୀଶଙ୍କ ମନ ଉପରେ ଗଭୀର ପ୍ରଭାବ ପକାଉଛି ଯାହା ଆମମାନଙ୍କ ପାଖରେ ନାହିଁ । ଆମେ ପଛୁଆ ଶ୍ରେଣୀର ହୋଇଥିବାରୁ ବୋଧହୁଏ ତାଙ୍କ ଶୁଭଦୃଷ୍ଟି ଆମ ଉପରେ ପଡୁନି ।’
ବିଧାୟିକା ବୀମା ଭାରତୀଙ୍କୁ ଦଳର ବହୁ ବିଧାୟକ ସମର୍ଥନ କରିଛନ୍ତି । ସବୁଠାରୁ କୌତୁହଳର କଥା ହେଉଛି, ନୀତୀଶ ଆରଜେଡି ଓ କଂଗ୍ରେସ ବିଧାୟକଙ୍କୁ ମନାଇ ସରକାର ଗଠନ କଲେ ସିନା; ମାତ୍ର ଦଳ ଭିତରେ ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଉଛି । ଆସ୍ଥା ଭୋଟରେ ଜିତିବାକୁ ହେଲେ, ନୀତୀଶଙ୍କୁ ଦଳୀୟ ବିଧାୟକଙ୍କ ସମର୍ଥନ ଜରୁରୀ ।