ଏବେ ଜେଲରୁ ବାହାରିବେନି ଲାଲୁ

ନୂଆଦିଲ୍ଲୀ: ଆରଜେଡି ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି।ଗୋଖାଦ୍ୟ ଦୁର୍ନୀତି ଦୁମ୍କା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୋଗର ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି। ନଭେମ୍ବର ୨୭ରେ ଝାଡଖଣ୍ଡ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।

ସୂଚନା ମୁତାବକ, ଦୁମ୍କା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦଣ୍ଡର ଅବଧି ଅଧା ଶେଷ ହୋଇସାରିଥିବାରୁ, ଏହାକୁ ଆଧାର କରି ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ।

ପୂର୍ବରୁ ଅକ୍ଟୋବରରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ମିଳିଥିଲା। ହେଲେ ଦୁମ୍କା ଟ୍ରେଜେରୀ ମାମଲାର ଶୁଣାଣି ବିଚାରାଧୀନ ଥିବାରୁ ଲାଲୁଙ୍କୁ ଜେଲରୁ ବହାରିବାକୁ ଅନୁମତି ଦିଆଯାଇନଥିଲା।ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ଲାଲୁ ଯାଦବଙ୍କୁ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ ଏହି ୫ଟି ମାମଲା ମଧ୍ୟରୁ ୩ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି।

ଅନ୍ୟପଟେ ଲାଲୁଙ୍କୁ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ମିଳିଥିବା ବେଳେ ଅଦାଲତର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ସିବିଆଇ ପ୍ରସ୍ତୁତ ହେଉଛି।