ନୂଆଦିଲ୍ଲୀ: ନକଲି ନାଗରିକତା ମାମଲାରେ ଉପ-ପ୍ରଧାନମନ୍ତ୍ରୀ ହାତଛଡ଼ା କରିଥିବା ନେତା ରବି ଲାମିଛାନେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଭାରତ ଓ ନେପାଳ ସଂପର୍କକୁ ଚିରସ୍ଥାୟୀ କରିବାର ଉଦ୍ଦେଶ୍ୟ ଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ନେପାଳ ସରକାରଙ୍କ ସହ ଆଲୋଚନା କରନ୍ତୁ । କୌଣସି ତୃତୀୟପକ୍ଷର ମଧ୍ୟସ୍ଥତା ଦୁଇଦେଶର ସଂପର୍କରେ ଭଟ୍ଟା ପକାଇବାର ସମ୍ଭାବନା ରହିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ରବି ଲାମିଛାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ବୋଧନ କରି କହିଛନ୍ତି, ‘ମୋଦୀଜୀ, ଆପଣଙ୍କ ନାମକୁ ଜପାମାଳି କରି ଯୋଉମାନେ ନେପାଳକୁ ଲୁଟୁଛନ୍ତି, ସେମାନଙ୍କ ମନରେ ଭାରତ-ନେପାଳ ପ୍ରତି ସାମାନ୍ୟ ମମତା ନାହିଁ । ଆପଣ ଭାବୁଛନ୍ତି ଭାରତ-ନେପାଳ ସଂପର୍କ ଦୃଢ଼ ହୋଇଛି; କିନ୍ତୁ ବାସ୍ତବରେ ସେପରି କିଛି ହୋଇନାହିଁ ।
ନେପାଳରେ କାମ କରୁଥିବା ଆପଣଙ୍କ ଦଲାଲଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତୁନି । ସେମାନେ ଆପଣା ସ୍ୱାର୍ଥ ପ୍ରତି ଯେତିକି ଯତ୍ନଶୀଳ; ଭାରତ-ନେପାଳ ସଂପର୍କ ପ୍ରତି ସେତେ ବିଶ୍ୱସ୍ତ ନୁହନ୍ତି । ଆପଣ ଯାହା କିଛି କରୁଛନ୍ତି, ଆପଣଙ୍କ ଦୂତାବାସରେ ବସି କରନ୍ତୁ । ଭାରତ ସହ ଦୃଢ଼ ସଂପର୍କ ସ୍ଥାପନ କରିବାକୁ ଆମେ ଆଗ୍ରହୀ; କିନ୍ତୁ ଭାରତ ପକ୍ଷରୁ ନେପାଳ ସହିତ ଆଲୋଚନା କରିବା ପାଇଁ ଆସୁଥିବା ସାମ୍ବାଦିକ, ଏଜେଂଟ, ପ୍ରତିନିଧିମାନେ ବିଶ୍ୱାସଯୋଗ୍ୟ ନୁହନ୍ତି ।’ ଜାଲ ନାଗରିକତା ମାମଲାରେ ରବି ଲାମିଛାନେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇ ସାଂସଦ ପଦ ହରାଇଛନ୍ତି । ମନ୍ତ୍ରୀପଦରୁ ହଟିବା ସହିତ ଦଳର ମୁଖିଆ ପଦକୁ ହାତଛଡ଼ା କରିଛନ୍ତି ।
ଲାମିଛାନେ ଜଣେ ସାମ୍ବାଦିକ ଥିଲେ, ୨୦୨୨ ଜୁନରେ ସେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଗଠନ କଲେ । ଉକ୍ତ ପାର୍ଟି ଏବେ ନେପାଳ ରାଜନୀତିରେ ଚତୁର୍ଥ ଶକ୍ତିଶାଳୀ ପାର୍ଟି । ନେପାଳ କ୍ୟାବିନେଟ୍ରେ ଆରଏସ୍ପିର ତିନିଜଣ ମନ୍ତ୍ରୀ ଅଛନ୍ତି । ୨୦୧୪ରେ ଲାମିଛାନେ ଆମେରିକାର ନାଗରିକତା ଗ୍ରହଣ କରିଥିଲେ; ଫଳରେ ତାଙ୍କର ନେପାଳୀ ନାଗରିକତା କଟିଗଲା । କିନ୍ତୁ ଏବେ ଲାମିଛାନେ ନେପାଳୀ ନାଗରିକତା ଫେରି ପାଇଛନ୍ତି । ତଥାପି ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ତାଙ୍କୁ କ୍ୟାବିନେଟରେ ସାମିଲ କରିନାହାନ୍ତି ।