ଲକ୍ଷେ୍ନø: ୟୁପି ଉପନିର୍ବାଚନରେ ବିଜେପିକୁ ରାମପୁର ଆସନ ମିଳିଗଲା । ସମାଜବାଦୀ ପାର୍ଟିକୁ ମେନ୍ପୁରୀ ଓ ରାଷ୍ଟ୍ରୀୟ ଲୋକଦଳକୁ ଖଟୌଲି ଆସନ ମିଳିଯାଇଛି । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଉପନିର୍ବାଚନରେ ଅଂଶଗ୍ରହଣ ନକରିବାରୁ ଦଳିତ ଭୋଟ ସିଧା ସମାଜବାଦୀ-ଆରଏଲ୍ଡି ମେଂଟ ପକେଟକୁ ଯାଇଛି । ଅଖିଳେଶ ଯାଦବ ଓ ଜୟନ୍ତ ଚୌଧୁରୀ ମିଳିତ ଭାବେ ଚନ୍ଦ୍ରଶେଖର ଆଜାଦଙ୍କୁ ମନାଇ ଦଳିତ ଭୋଟକୁ ହାତେଇ ନେଇଛନ୍ତି । ଉପନିର୍ବାଚନରେ ନଲଢ଼ି ମାୟାବତୀ ଅଖିଳେଶ ଓ ବିଜେପିର ଗୁପ୍ତ ବୁଝାମଣାକୁ ପଦାରେ ପକାଇ ରାଜନୈତିକ ଚାଲ ଖେଳିବାକୁ ବସିଥିଲେ, ମାତ୍ର ତାହା ତାଙ୍କ ପାଇଁ ବୁମେରାଂ ହୋଇଯାଇଛି । ଆସନ୍ତା ଲୋକସଭା ନିର୍ବାଚନରେ ଦଳିତ ଭୋଟ ସପା-ଆରଏଲ୍ଡି ପକେଟକୁ ଯିବା ସୁନିଶ୍ଚିତ ଜାଣି ମାୟାବତୀଙ୍କ ମୁଣ୍ଡ କାମ କରୁନି ।
ଚନ୍ଦ୍ରଶେଖର ଆଜାଦଙ୍କୁ ହାତକୁ ନେଇ ସପା-ଆରଏଲ୍ଡି ବିଜେପି ହାତରୁ ଖଟୌଲି ଆସନ ଛଡ଼ାଇନେଲେ । ମେନପୁରୀ ଆସନକୁ ହାତରେ ରଖିବାକୁ ସକ୍ଷମ ହେଲେ । ମାତ୍ର ସପା ହାତରୁ ରାମପୁର ଆସନ ଖସିଯିବାରୁ ମାୟାବତୀଙ୍କ ତୁଣ୍ଡ ଫିଟିଛି । ମାୟାବତୀ କହିଛନ୍ତି, ମେନପୁରୀରେ ସପା ବିଜୟ ଓ ରାମପୁରରେ ବିଜେପି ବିଜୟ ଭିତରେ ଭିତିରିଆ ବୁଝାମଣା ହୋଇଛି । ରାମପୁରରେ ଆଜମ ଖାନଙ୍କ ଲୋକପ୍ରିୟତାକୁ ଖତମ କରିବା ପାଇଁ ବିଜେପିର ଷଡ଼ଯନ୍ତ୍ରକୁ ଅଖିଳେଶ ସମର୍ଥନ କରିଛନ୍ତି । ତା’ ବଦଳରେ ମେନପୁରୀରୁ ପତ୍ନୀ ଡିମ୍ପଲଙ୍କୁ ଜିତାଇ ପାରିଛନ୍ତି ।
ତିନୋଟି ଆସନର ଉପନିର୍ବାଚନରେ ଦଳିତ ଭୋଟ ସପା-ଆରଏଲ୍ଡି ହାତକୁ ଯିବା ଫଳରେ ମାୟାବତୀଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହେବାକୁ ବସିଛି । ଉପନିର୍ବାଚନକୁ ହାତଛଡ଼ା କରି ସେ ବିରାଟ ବଡ଼ ଭୁଲ କରିଛନ୍ତି ବୋଲି ବୁଝିପାରିଛନ୍ତି । ଏବେ କପାଳରେ ହାତ ପିଟିବା ଛଡ଼ା ମାୟାବତୀଙ୍କ ପାଖରେ ଆଉ ବିକଳ୍ପ କିଛି ନାହିଁ ।