ଲକ୍ଷେ୍ନø: ବିଜେପିର ଦ୍ୱିତୀୟ ପାଳିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗେରୁଆ ପୋଷାକରେ ଦାଗ ଲାଗିବା ଆରମ୍ଭ କଲାଣି । ବିଜେପିର ବହୁ କର୍ମୀ ଏବେ ଯୋଗୀଙ୍କ ଆଶୀର୍ବାଦ ବଳରେ ମାଫିଆ ପାଲଟିଛନ୍ତି । ଏ ଦିଗରେ ପୁଲିସ ଓ ସରକାରୀ ଅଧିକାରୀମାନେ ବିଜେପି କର୍ମୀଙ୍କ ଯାବତୀୟ କଳା କାରନାମାରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ସୂଚନା ମୁତାବକ ସରକାରୀ ଅଧିକାରୀ ଓ ଜମି ମାଫିଆଙ୍କ ସଲାସୁତୁରାରେ ବହୁ ମୂଲ୍ୟବାନ ଜମି ବିକ୍ରି ହୋଇଯାଉଛି । ଆଇନର ଗଳାବାଟ ଦେଇ ସରକାରୀ ଜମିକୁ କୋଟିପତି ବ୍ୟବସାୟୀଙ୍କ ହାତକୁ ଟେକି ଦିଆଯାଉଛି । ଯୋଗୀ ଆଦିତ୍ୟନାଥଙ୍କ କିଛି ଅନୁଗତ ଜମି ଦଲାଲି କରୁଛନ୍ତି । ନିକଟରେ ଅଯୋଧ୍ୟା ବିକାଶ ପ୍ରାଧୀକରଣ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ୪୦ ଜଣ ବିଶିଷ୍ଟ ଲୋକ ସରକାରୀ ଜମି ମାଡ଼ି ବସିଛନ୍ତି । ଏପରିକି ସଂପୃକ୍ତ ଜମି ଉପରେ ନିର୍ମାଣ କାମ ଚାଲିଛି ।
୪୦ ଜଣ ଅଭିଯୁକ୍ତଙ୍କ ଭିତରେ ଅଯୋଧ୍ୟା ମେୟର ଋଷିକେଶ ଉପାଧ୍ୟାୟ, ନଗର ବିଧାୟକ ବେଦ ପ୍ରକାଶ ଗୁପ୍ତା ଓ ପୂର୍ବତନ ବିଧାୟକ ଗୋରଖନାଥ ବାବାଙ୍କ ନାମ ରହିଛି । ଅଯୋଧ୍ୟା ସାଂସଦ ଲଲୁ ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପତ୍ର ଲେଖି ଜମି କେଳେଙ୍କାରୀ ବିଷୟ ଜଣାଇ ଜମି ମାଡ଼ି ବସିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତା’ ସହିତ ସରକାରୀ ଜମିର ପୁନରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି । ସାଂସଦ ଲଲୁ ସିଂହଙ୍କ ମତରେ ଗାଁରେ କାମ ଧନ୍ଦା ମିଳୁ ନଥିବାରୁ ଗରିବ ପରିବାର ସହରକୁ ଆସି ଦିନ ମଜୁରିଆ କାମ କରନ୍ତି ।
ଭଡ଼ା ଘରେ ରହିବା ସେମାନଙ୍କ ପକ୍ଷେ କଷ୍ଟଦାୟକ ଥିବାରୁ ସେମାନେ ସରକାରୀ ଜମିରେ କୁଡ଼ିଆଟିଏ କରି ରହୁଛନ୍ତି । ମାତ୍ର ସରକାରୀ ଅଧିକାରୀ ଓ ଜମି ମାଫିଆଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ପରିଣାମ ସ୍ୱରୂପ ଗରିବ ଖଟିଖିଆଙ୍କୁ ସରକାରୀ ଜମିରୁ ତଡ଼ି ଦିଆଯାଉଛି ଓ ସମାଜର ପ୍ରତିଷ୍ଠିତ ଲୋକଙ୍କ ହାତକୁ ସରକାରୀ ଜମି ଟେକି ଦିଆଯାଉଛି । ଏଠାରେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିନା ଅନୁମତିରେ ୟୁପିରେ ପକ୍ଷୀଟିଏ ବି ମଳତ୍ୟାଗ କରିପାରୁନି । ସେତେବେଳେ ବିଜେପିର କିଛି ଜମି ମାଫିଆ ସାଜି ସରକାରୀ ଜମିକୁ ବିକିବା କଥା ଯୋଗୀଙ୍କୁ ଅଛପା ରହିଲା କେମିତି?