ବିବାଦୀୟ ପୂଜା ଖେଡକରଙ୍କ କୌଣସି ପତ୍ତା ମିଳୁନାହିଁ

ନକଲି ସାର୍ଟିଫିକେଟ୍ ମାମଲାରେ ୟୁପିଏସସି ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏଫ୍ଆଇଆର୍ ଦାଖଲ କରିଛି ଏବଂ ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜୁଛି। ଗିରଫଦାରୀକୁ ଏଡାଇବା ପାଇଁ ପୂଜା ଖେଡକର କୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ପୂଜା ଖେଡକର ଦୁବାଇ ପଳାଇଥିବା କୁହାଯାଉଛି ।

ଫେରାର ହେବା ପରେ ପୂଜା ଖେଡକରଙ୍କ ସମ୍ପର୍କରେ ଦିଲ୍ଲୀ ପୋଲିସ ତିନୋଟି ସ୍ଥାନରୁ ସୂଚନା ମାଗିଛି। ମହାରାଷ୍ଟ୍ର ସରକାର, ଏମ୍ସ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଟ୍ରେନିଂ ଏକାଡେମୀ, ମୁସୁରୀରୁ ସୂଚନା ଲୋଡିଛି । ପୂଜା ଖେଡକର ବର୍ତ୍ତମାନ କେଉଁଠାରେ ଅଛନ୍ତି? ଦେଶ ଛାଡି ପଳାଇଥିବା କଥା ସାମ୍ନାକୁ ଆସୁଛି। ତେବେ ପୂଜା ଦୁବାଇକୁ ପଳାଇଥିବା ଦାବିକୁ ପୋଲିସ ପ୍ରତ୍ୟାଖ୍ୟାନ କରିଛି। ପୋଲିସର ସୂଚନାନୁସାରେ ପୂଜା ଖେଡକର ଭାରତରେ ଅଛନ୍ତି।

ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ଏହି କଳ୍ପନାଜଳ୍ପନା କରାଯାଉଛି। କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ। ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ଦେବେନ୍ଦ୍ର କୁମାର ଜଙ୍ଗଲା କହିଛନ୍ତି ଯେ ଏହି ଷଡଯନ୍ତ୍ରର ସତ ଜାଣିବା ପାଇଁ ଓ ଏଥିରେ ଜଡିତ ଥିବା ଅନ୍ୟମାନଙ୍କ ବିଷୟରେ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ରହିଛି।

ଏହି ଘଟଣାର ତଦନ୍ତକୁ ଆହୁରି ଅଧିକ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ଯୋଗ୍ୟତାରେ ଓବିସି ଏବଂ ପିଡବ୍ଲ୍ୟୁଡି ଅଧୀନରେ ଅନ୍ୟ ବ୍ୟକ୍ତିମାନେ ମଧ୍ୟ କୋଟା ପାଇଛନ୍ତି କି ନାହିଁ ତାହାର ତଦନ୍ତ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ୟୁପିଏସସି ଭିତରୁ କେହି ପୂଜା ଖେଡକରଙ୍କୁ ସାହାଯ୍ୟ କରିଥିଲେ କି ନାହିଁ ତାହାର ତଦନ୍ତ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି। କୋର୍ଟଙ୍କ ଏହି ମନ୍ତବ୍ୟ ପରେ ଏବେ ଦିଲ୍ଲୀ ପୁଲିସ ୟୁପିଏସସି ଭିତରେ ତଦନ୍ତ କରିବାର ସମ୍ଭାବନା ଦେଖାଦେଇଛି ।