ସୋନିଆଙ୍କୁ ନୋଟିସ୍‌: ନାଗରିକତା ପୂର୍ବରୁ ଭୋଟର ତାଲିକାଭୁକ୍ତ ହୋଇଥିଲେ

ଆଗ ନାଗରିକତା, ତା’ପରେ ଭୋଟର ତାଲିକା ….

ନୂଆଦିଲ୍ଲୀ: ଆଗ ନାଗରିକତା, ତା’ପରେ ଭୋଟର ତାଲିକା ଅନ୍ତର୍ଭୁକ୍ତ ପ୍ରସଙ୍ଗ। ମାତ୍ର ସୋନିଆ ଗାନ୍ଧୀଙ୍କ କ୍ଷେତ୍ରରେ ଆଗ ଭୋଟର ତାଲିକାଭୁକ୍ତ, ପରେ ନାଗରିକତା ହାସଲ। ପ୍ରତିଷ୍ଠିତ ରାଜନୈତିକ ପରିବାରର ବୋହୂ ହୋଇଥିବାରୁ ଦେଶର ନିର୍ବାଚନ ଆୟୋଗ ଏଭଳି ବେନିୟମ କାମ କରିଥିଲେ। ସଂପୃକ୍ତ ଘଟଣାର ପ୍ରାୟ ୪୫ ବର୍ଷ ପରେ ଦିଲ୍ଲୀ ଅଦାଲତ ଏକ ମାମଲାକୁ ବିଚାରଯୋଗ୍ୟ ମଣିଛନ୍ତି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଭାରତର ନାଗରିକତା ନ ପାଇ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରିବା ଅଭିଯୋଗରେ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଏବଂ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି। ଏହି ମାମଲା ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ନୂଆଦିଲ୍ଲୀ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବା ଅଭିଯୋଗ ସହ ଜଡିତ। କୋର୍ଟ ଆଗାମୀ ଶୁଣାଣି ଜାନୁଆରୀ ୬, ୨୦୨୬କୁ ଧାର୍ଯ୍ୟ କରିଛନ୍ତି। ଆଇନଜୀବୀ ବିକାଶ ତ୍ରିପାଠି କୋର୍ଟରେ ଏକ ସଂଶୋଧନ ଆବେଦନ ଦାଖଲ କରିବା ପରେ ନାଗରିକତା ବିବାଦ ଉପୁଜିଥିଲା। ସେ ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧୀ ୩୦ ଏପ୍ରିଲ ୧୯୮୩ରେ ଭାରତର ନାଗରିକତା ପାଇଥିଲେ, କିନ୍ତୁ ତାଙ୍କ ନାମ ତିନି ବର୍ଷ ପୂର୍ବରୁ ୧୯୮୦ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଆବେଦନକାରୀ ଯୁକ୍ତି ରଖିଛନ୍ତି, କେବଳ ଭାରତର ନାଗରିକତା ପାଇଥିବା ବ୍ୟକ୍ତିଙ୍କୁ ଭୋଟର ତାଲିକା ଅନ୍ତର୍ଭୁକ୍ତ କରାଯାଇପାରିବ, ତେଣୁ ୧୯୮୦ ଭୋଟର ତାଲିକାରେ ସୋନିଆଙ୍କ ନାମ ପ୍ରବେଶ ଆଇନତଃ ବୈଧ ନୁହେଁ।

ଓକିଲ ବିକାଶ ତ୍ରିପାଠୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ନାମ ୧୯୮୨ ମସିହାରେ ତାଲିକାରୁ ହଟାଇ ଦିଆଯାଇଥିଲା ଏବଂ ୧୯୮୩ ମସିହାରେ ନାଗରିକତା ପାଇବା ପରେ ପୁନର୍ବାର ଯୋଡା ଯାଇଥିଲା। ଆବେଦନକାରୀ ଏହି ତିନୋଟି ପଦକ୍ଷେପ – ପ୍ରଥମେ ଅନ୍ତର୍ଭୁକ୍ତିକରଣ, ତା’ପରେ ବାଦ ଦେବା ଏବଂ ତା’ପରେ ପୁନଃ ଅନ୍ତର୍ଭୁକ୍ତିକରଣକୁ ଗୁରୁତର ଅନିୟମିତତା ଭାବରେ ବର୍ଣ୍ଣନା କରିଛନ୍ତି। ସେପ୍ଟେମ୍ବର ୨୦୨୫ରେ, ମାଜିଷ୍ଟ୍ରେଟ୍‌ କୋର୍ଟ ଅଭିଯୋଗକୁ ଖାରଜ କରି କହିଥିଲେ ଯେ ଆବେଦନକାରୀ ତାଙ୍କ ଅଭିଯୋଗକୁ ବିଚାରଯୋଗ୍ୟ କରିବା ପାଇଁ ଠୋସ୍‌ ପ୍ରମାଣ ଦାଖଲ କରି ନଥିଲେ। କୋର୍ଟ ସ୍ୱୀକାର କରିଥିଲେ ଯେ ଏଫ୍‌ଆଇଆର୍‌ ଦାଖଲ କରିବାର କାରଣ ଦୁର୍ବଳ ଥିଲା ଏବଂ ଉପଲବ୍ଧ ତଥ୍ୟ ସ୍ପଷ୍ଟ ଭାବରେ ଅପରାଧ ଗଠନ କରୁ ନଥିଲା। ତଥାପି, ବର୍ତମାନ ସଂଶୋଧନ ଆବେଦନର ଶୁଣାଣି କରିବା ସମୟରେ, ରାଉଜ ଆଭେନ୍ୟୁ କୋର୍ଟ ଏକ ନୂତନ ନୋଟିସ ଜାରି କରିଛନ୍ତି, ଯାହା ମାମଲାକୁ ପ୍ରଥମ ଦୃଷ୍ଟିରୁ ସମୀକ୍ଷା ଯୋଗ୍ୟ ବୋଲି ଦର୍ଶାଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷଙ୍କ ପ୍ରତିକ୍ରିୟା ଶୁଣିବା ବିନା ପରବର୍ତୀ କାର୍ଯ୍ୟପନ୍ଥା ଉପଯୁକ୍ତ ହେବ ନାହିଁ।