ତାଇୱାନ ଉପକୂଳରେ ପରମାଣୁ ଜାହାଜ ‘ରୋନାଲ୍ଡ ରିଗନ୍’
ପ୍ରତିଶ୍ରୁତି ରକ୍ଷାକଲେ ୟୁଏସ୍ ରାଷ୍ଟ୍ରପତି ବାଇଡେନ୍
ତାଇୱାନ ଉପକୂଳରେ ଠିଆ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା …
ତାଇପେଇ: ତାଇୱାନ ଉପକୂଳରେ ଠିଆ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ବିଶାଳ ଲଢୁଆ ବିମାନ ବାହକ ରୋନାଲ୍ଡ ରିଗନ୍ । ଯୁଦ୍ଧଖୋର ଚୀନକୁ ଠିକଣା ଜବାବ ଦେବା ପାଇଁ ଆମେରିକାକୁ ଏହାଠାରୁ ବଳି ଭଲ ସୁଯୋଗ ମିଳିବନି । ଏସିଆ ମହାଦେଶରେ ପ୍ରଭାବ ବିସ୍ତାର କରିବାକୁ ହେଲେ ଚୀନକୁ ସାବାଡ୍ କରିବାକୁ ପଡ଼ିବ ବୋଲି ଆମେରିକା ଜାଣିଛି । ସାରା ବିଶ୍ୱର ନଜର ଏବେ ଚୀନ୍ ଓ ଆମେରିକା ଉପରେ । ଚୀନର ଚେତାବନୀ ସତ୍ତେ୍ୱ ଆମେରିକାର ବାଚସ୍ପତି ନାନ୍ସୀ ପେଲୋସୀ ତାଇୱାନରେ ପହଂଚି ଚୀନକୁ ଯୁଦ୍ଧ ପାଇଁ ଡାକରା ଦେଇଛନ୍ତି । ବହୁଦିନରୁ ତାଇୱାନର ସାର୍ବଭୌମତ୍ୱ ଉପରେ ଚୀନର ଶ୍ୱେନଦୃଷ୍ଟି ରହିଛି । ମାତ୍ର ପେଲୋସୀଙ୍କ ତାଇୱାନ ଗସ୍ତକୁ ଚୀନ ହଜମ କରିପାରିଲାନି । ଅପରପକ୍ଷେ ତାଇୱାନ ମଧ୍ୟ କୌଣସି ପରିସ୍ଥିତିରେ ଚୀନ ଅଧୀନକୁ ଯିବା ପାଇଁ ପ୍ରସ୍ତୁତ ନୁହେଁ । ଏସିଆ ମହାଦେଶର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଚୀନର କାଟ୍ତି ରହିଛି । ମାତ୍ର ସାରାବିଶ୍ୱର ଅର୍ଥନୀତିକୁ ନିୟନ୍ତ୍ରଣ କରୁଛି ଯୁକ୍ତରାଷ୍ଟ୍ର ଆମେରିକା । ରୁଷିଆର ୟୁକ୍ରେନ୍ ଆକ୍ରମଣ ଫର୍ମୁଲାକୁ ଚୀନ୍ ଅନୁସରଣ କରୁଛି । ୟୁକ୍ରେନକୁ ହ୍ୱାଇଟ୍ ହାଉସ୍ ସିଧାସଳଖ ସୁରକ୍ଷା ଦେଇପାରିଲାନି ମାତ୍ର ତାଇୱାନ୍ କ୍ଷେତ୍ରରେ ସମ୍ମାନର ପ୍ରଶ୍ନ ।

ତାଇୱାନ୍ର ରକ୍ଷାକବଚ ହେବା ପାଇଁ ରୋନାଲ୍ଡ ରିଗନ୍ ପାଖରେ ସବୁ ଉପାଦାନ ରହିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗନ୍ଙ୍କ ନାମରେ ଯୁଦ୍ଧଜାହାଜର ନାମକରଣ କରାଯାଇଛି । ପରମାଣୁ ଶକ୍ତିରେ ପରିଚାଳିତ ଆମେରିକାର ୧୦ଟି ଯୁଦ୍ଧଜାହାଜ ଭିତରୁ ରୋନାଲ୍ଡ ରିଗନ୍ ଅନ୍ୟତମ । ଏହି ଯୁଦ୍ଧଜାହାଜଟି ୨୦୦୩ ଜୁଲାଇ ମାସରେ ଆମେରିକା ନୌସେନାରେ ଯୋଗ ଦେଇଥିଲା । ୧୦୯୨ ଫୁଟ ବିଶିଷ୍ଟ ରୋନାଲ୍ଡ ରିଗନ୍ ପୃଷ୍ଠଦେଶରେ ୧.୦୧ ଲକ୍ଷ ଟନ୍ରୁ ଅଧିକ ଓଜନର ଯୁଦ୍ଧ ସାମଗ୍ରୀ ରହିପାରିବ । ଜାହାଜଟି ଅବିଶ୍ରାନ୍ତ ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ଗତି କରିବାର କ୍ଷମତା ରଖିଛି । ଘଂଟାକୁ ୫୬ କିମି ବେଗ ବିଶିଷ୍ଟ ଜାହାଜର ପୃଷ୍ଠଦେଶରେ ଏକା ସମୟରେ ୯୦ଟି ଲଢୁଆ ବିମାନ ଓ ହେଲିକପ୍ଟର ରହିପାରିବ ।