ୟୁକ୍ରେନ୍ ହମ୍ଲାକୁ ବର୍ଷେ: କିଭରେ ଆମେରିକା ରାଷ୍ଟ୍ରପତିଙ୍କ ଆକସ୍ମିକ ଆବିର୍ଭାବ
ଯୁଦ୍ଧ ବାତାବରଣ ଭିତରେ ଏ ପ୍ରକାର ସାଇରନ୍ ବାଜିବା ମାମୁଲି….
କିଭ୍: ଦେଖୁଦେଖୁ ୟୁକ୍ରେନ ଉପରେ ରୁଷସେନାର ଆକ୍ରମଣକୁ ବର୍ଷେ ପୁରିବ । ମାତ୍ର ଦୁଇଦିନ ଭିତରେ ୟୁକ୍ରେନକୁ ଦଖଲ କରିବାର ଆଶା କ୍ରମେ ଧୂଳିସାତ୍ ହେବାକୁ ବସିଲାଣି । ତଥାପି ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନଙ୍କ ମୁହଁଟାଣ ଭାଙ୍ଗୁନି । ଆପଣା ଜିଦକୁ ବଜାୟ ରଖିବାକୁ ଯାଇ ରୁଷକୁ ଯୁଦ୍ଧ ଘନଘଟା ଭିତରେ ପୁରାଇ ପୁତିନ ଏବେ ବିଶ୍ୱବାସୀଙ୍କ ଦୃଷ୍ଟିରେ ନାୟକରୁ ଖଳାନାୟକ ପାଲଟି ଯାଇଛନ୍ତି । ମାତ୍ର ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍ ଚତୁରତାର ସହିତ ଧୀର ପାହୁଣ୍ଡ ପକାଇ ପୁତିନଙ୍କ ସବୁ ଅହଂକାରକୁ ଚୁରମାର କରୁଛନ୍ତି ।
ସୋମବାର ସମୟ ସକାଳ ୮ଟା । ହଠାତ୍ ୟୁକ୍ରେନ୍ ରାଜଧାନୀ କିଭ୍ ଛାତିରେ ଗର୍ଜନ କଲା ଆକାଶରୁ ବୋମାମାଡ଼ ପ୍ରତି ସତର୍କ ଦୃଷ୍ଟି ରଖିଥିବା ବିରାଟ ସାଇରନ୍ । ଯୁଦ୍ଧ ବାତାବରଣ ଭିତରେ ଏ ପ୍ରକାର ସାଇରନ୍ ବାଜିବା ମାମୁଲି । କିନ୍ତୁ ସୋମବାର ସାଇରନ୍ ବାଜିବାର କାରଣ ଆଉ କିଛି ଥିଲା । ସାଇରନ୍ ବାଜିବା ମାତ୍ରେ କିଭ ପ୍ରମୁଖ ରାଜରାସ୍ତା ନୂଆ ଜୀବନ ପାଇଲା । ରାଜରାସ୍ତାରେ ପୁଲିସର ଗହଳ ଚହଳ ବଢ଼ିଗଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଗଲା । ସାଧାରଣ ଲୋକଙ୍କ ଚଳପ୍ରଚଳକୁ ରୋକି ଦିଆଗଲା । ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା-ବୋଧହୁଏ କୌଣସି ଭିଭିଆଇପି ଆସୁଛନ୍ତି ।
କିଭ ଜନତାଙ୍କ ଆଶଙ୍କା ଉପରୁ ପରଦା ହଟିଗଲା । ମାତ୍ର କିଛି ମିନିଟ୍ ପରେ କିଭସ୍ଥିତ ପ୍ରମୁଖ ଚର୍ଚ୍ଚର ମୁଖ୍ୟ ଫାଟକ ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନ୍ସ୍କିଙ୍କ ସହିତ ଠିଆ ହୋଇଥିଲେ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍ । ମାତ୍ର ୨୪ ଘଂଟା ତଳେ ପତ୍ନୀଙ୍କ ସହିତ ଆମେରିକାର ଏକ ଚଳଚଂଚଳ ରେଷ୍ଟୁରାଂଟରେ ବସିଥିବା ରାଷ୍ଟ୍ରପତି ବାଇଡେନ୍ ଯାଇ ପହଂଚିଲେଣି ଜରାଜୀର୍ଣ୍ଣ ୟୁକ୍ରେନରେ ।
ରାଷ୍ଟ୍ରପତି ପୁତିନଙ୍କ ହମ୍ଲାରେ ଛାନିଆ ହୋଇଯାଇଥିଲା ୟୁକ୍ରେନ । ରୁଷିଆର ଅତର୍କିତ ହମ୍ଲାରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର । ରୁଷିଆର ରକ୍ତମୁହାଁ ଆଖିରେ ଆଖି ମିଳାଇବାକୁ ପଛାଇଗଲା ଆମେରିକା । ବାଇଡେନଙ୍କ ପଛଘୁଂଚା ଦେଖି ୟୁକ୍ରେନ ରାଷ୍ଟ୍ରପତିଙ୍କ ହାଲୁକ ଶୁଖିଗଲା । ଆମେରିକା ଉପରେ ଭରସା ରଖି ସେ ପୁତିନଙ୍କ ସହ ଦାଉ ସାଧିଲେ; ଅଥଚ ଠିକଣା ସମୟରେ ନାଟୋ ଦେଶଗୁଡ଼ିକ ସମେତ ଆମେରିକା ପଛାଇଗଲେ ।
ୟୁକ୍ରେନକୁ ହମ୍ଲା କରି ବିଶ୍ୱବାସୀଙ୍କ ଆଗରେ ରୁଷିଆର ଶକ୍ତି ପ୍ରଦର୍ଶନ କରୁଥିଲେ ରାଷ୍ଟ୍ରପତି ପୁତିନ । ୟୁକ୍ରେନକୁ ସାମ୍ନାକୁ ଠେଲି ଆମେରିକା ଓ ନାଟୋ ଦେଶଗୁଡ଼ିକ ପ୍ରଚୁର ଅସ୍ତ୍ରଶସ୍ତ୍ର ସହାୟତା କଲେ । ରୁଷିଆର ୟୁକ୍ରେନ ହମ୍ଲାକୁ ବର୍ଷେ ପୁରିବା ଅବସରରେ କିଭରେ ପହଂଚି ରାଷ୍ଟ୍ରପତି ବାଇଡେନ୍ ୟୁକ୍ରେନ ମନରେ ଭରି ଦେଇଛନ୍ତି ପୂର୍ବର ତେଜ ଓ ସାହସ ।