ଖୋଲୁଛି ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ଗୁମର: ଅର୍ପିତା କହିଲେ, ସବୁ ଦିଦି ଜାଣିଛନ୍ତି

ଯେତେ ଅଣ୍ଡାଳୁଛୁ, ସେତେ ପାଉଛୁ: ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ପର୍ଦ୍ଦାଫାସ ହେବାକୁ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କୀୟ ପାର୍ଥ ଚାଟାର୍ଜୀ ଓ ମୁଦ୍ରାରାଣୀ ଅର୍ପିତା ମୁଖାର୍ଜୀଙ୍କ କଳା କାରନାମା କ୍ରମେ ରୋଚକପୂର୍ଣ୍ଣ ଆଡ଼କୁ ଗତି କରୁଛି । ପାର୍ଥ ଓ ଅର୍ପିତା ମିଳିତ ଭାବେ ୨୦୧୨ରେ ଶାନ୍ତି ନିକେତନ ଅଂଚଳରେ ୨୦ ଲକ୍ଷ ଟଙ୍କା ବିନିମୟରେ ଫାର୍ମ ହାଉସ୍‌ଟିଏ କିଣିଥିଲେ । ଦୁହିଁଙ୍କ ଭିତରେ ୧୦ ବର୍ଷର ସମ୍ପର୍କ । ଅର୍ପିତାଙ୍କ ଘରୁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ନଗଦ ୫୦ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା । ଉଭୟଙ୍କ ନାମରେ କିଣା ଯାଇଥିବା ବହୁ ଜାଗାବାଡ଼ିର ନଥିପତ୍ର ମଧ୍ୟ ଇଡି ହାତରେ ଲାଗିଛି । ଶାନ୍ତି ନିକେତନ ଅଂଚଳରେ କିଣା ଯାଇଥିବା ଫାର୍ମ ହାଉସର ନାମଫଳକରେ ଅ-ପା ଲେଖାଯାଇଛି ଯାହା ଅର୍ପିତା-ପାର୍ଥକୁ ବୁଝାଉଛି ।

ସେହିପରି ଦକ୍ଷଣ ୨୪ ପ୍ରଗଣାରେ ପାର୍ଥଙ୍କ ନାମରେ ଫାର୍ମ ହାଉସଟିଏ ଥିବାର ଜଣାପଡ଼ିଛି । ଶିକ୍ଷକ ନିଯୁକ୍ତି ଆଳରେ ପାର୍ଥ ଚାକିରି ଆଶାୟୀଙ୍କଠାରୁ ମୋଟା ଅଙ୍କ ସଂଗ୍ରହ କରି ଜାଗାବାଡ଼ି କିଣିଥିବା ଇଡ଼ି ସଙ୍କେତ ପ୍ରଦାନ କରିଛି । ଗିରଫ ସମୟରେ ପାର୍ଥ ମୁଖ୍ୟମନ୍ତ୍ରୀ ମମତାଙ୍କ କାନି ଧରିଥିଲେ ମଧ୍ୟ ଖୋଦ ଦିଦି ତାଙ୍କ ହାତରୁ କାନି ଟାଣି ନେଇଛନ୍ତି । ପାର୍ଥ ଏ ପର୍ଯ୍ୟନ୍ତ ମମତାଙ୍କ ବିରୋଧରେ ପାଟି ଫିଟାଇନାହାନ୍ତି । କିନ୍ତୁ ଅର୍ପିତା କହିଛନ୍ତି ଯେ ସେ ସମୟକୁ ଅପେକ୍ଷା କରିଛନ୍ତି । ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ମୁଖ୍ୟ ନାୟକ ସାମ୍ନାକୁ ଆସିବେ ।