Operation Sindoor Led Drone-Drone War : ‘ଅପରେସନ୍ ସିନ୍ଦୁର’ରୁ ଡ୍ରୋନ୍-ଡ୍ରୋନ୍ ଲଢ଼େଇ ଯୁଗାରମ୍ଭ
Operation Sindoor Led Drone-Drone War : ‘ଅପରେସନ୍ ସିନ୍ଦୁର’ ଡ୍ରୋନ୍ ଲଢ଼େଇ ଯୁଗାରମ୍ଭ
‘ଅପରେସନ୍ ସିନ୍ଦୁର’ ପରଠାରୁ ବିଶ୍ୱବାସୀ ଆଉ ସେନା ଲଢ଼େଇ ଦେଖି ପାରିବେନି । ସେନାଙ୍କ ବଦଳରେ ବିଶ୍ୱବାସୀ ଦେଖିବାକୁ ପାଇବେ ଡ୍ରୋନ-ଡ୍ରୋନ୍ ଲଢ଼େଇ । ପାକିସ୍ତାନକୁ ପରାଜୟ ଦ୍ୱାରଦେଶରେ ପହଂଚାଇଥିଲା ଭାରତ ନିର୍ମିତ ଡ୍ରୋନ୍ ।
ଆଖି ପଲକ ଭିତରେ ବଦଳି ଯାଉଛି ଯୁଦ୍ଧର ଚିତ୍ର । ପାରମ୍ପରିକ ଅସ୍ତ୍ରଶସ୍ତ୍ର ବଦଳରେ ଛୋଟ ଛୋଟ ଡ୍ରୋନ୍ ଓ ସ୍ମାର୍ଟ ଜ୍ଞାନକୌଶଳ ସଫଳତାର ସହିତ ଯୁଦ୍ଧ ପରିଚାଳନା କରୁଛି ।
ତା’ର ସଦ୍ୟତମ ଉଦାହରଣ ହେଉଛି ୨୦୨୫ ମେ’ ମାସରେ ଭାରତ ପରିଚାଳିତ ‘ଅପରେସନ୍ ସିନ୍ଦୁର’ । ଶତ୍ରୁ ଆଖିରେ ଧୂଳି ଦେଇ ଆତଙ୍କୀ ସଂଗଠନ ଠିକଣାକୁ ମାଟିରେ ମିଶାଇ ଦେଇଥିଲା ଭାରତ ।
ଶତ୍ରୁପକ୍ଷର ଆକାଶ ସୀମାକୁ ଭେଦ କରି ନଥିଲା ସୁଖୋଇ ଅବା ରାଫେଲ, କେବଳ ମାତ୍ର ଡ୍ରୋନ୍ ଓ ଇଲେକ୍ଟ୍ରୋନିକ୍ ଜ୍ଞାନ ପ୍ରୟୋଗ କରି ଭାରତ ଶତ୍ରୁ ଉପରେ ବିଜୟ ହାସଲ କରିଥିଲା । ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ଆଖିକୁ ବିସ୍ଫାରିତ କରିଥିଲା ‘ଆତ୍ମନିର୍ଭର ଭାରତ’ର ଅମୋଘ ଅସ୍ତ୍ର ।
କେବଳ ସେତିକି ଯଥେଷ୍ଟ ନଥିଲା । ଭବିଷ୍ୟତରେ ଯୁଦ୍ଧର ରୂପରେଖ କିଭଳି ହେବ, ସେ ସଂପର୍କରେ ବିଶ୍ୱବାସୀଙ୍କୁ ସଜାଗ କରିଛି ଭାରତ । ‘ଅପରେସନ୍ ସିନ୍ଦୁର’କୁ ସଫଳତା ଆଡକୁ ବାଟ କଢ଼ାଇ ନେଇଥିଲା ବଂଶୀ, ଲକ୍ଷ୍ୟ ଓ ଏକ୍ସ ଗାର୍ଡ ।
ଏହି ତିନୋଟି ଶକ୍ତିଶାଳୀ ହତିଆର ସଂପର୍କରେ କିଛି ଜାଣନ୍ତି?
ବଂଶୀ ଡ୍ରୋନ୍ : କାନାଡା ଯାନ୍ତ୍ରିକ କୌଶଳ ଆଧାରିତ ବଂଶୀ ଡ୍ରୋନ୍ ନିକଟରେ ଜେଟ୍ ବିମାନକୁ ନକଲ କରିବା କ୍ଷମତା ରହିଛି । ଏହି ଡ୍ରୋନ ରାଡାର ସିଗନାଲ ପରିସର ଭିତରକୁ ପଶିବା ମାତ୍ରେ ଶତ୍ରୁ ଆଖିରେ ଜେଟ୍ ବିମାନ ଭ୍ରମ ସୃଷ୍ଟି କରେ । ‘ଅପରେସନ୍ ସିନ୍ଦୁର’ ସମୟରେ ଭାରତ ମାତ୍ର ଦୁଇଟି ବଂଶୀ ଡ୍ରୋନ ବ୍ୟବହାର କରିଥିଲା ।
ପାକିସ୍ତାନୀ ସେନା ଭାରତ ପଠାଇଥିବା ବଂଶୀ ଡ୍ରୋନକୁ ରାଫେଲ ଭାବି ମିଶାଇଲ ମାଡ଼ କରିଥିଲା ଓ ବାହାସ୍ଫୋଟ ମାରିଥିଲା । ପାକିସ୍ତାନ ସୀମା ଭିତରକୁ ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ଉଡି ଯାଇଥିଲା ମାମୁଲି ଖର୍ଚ୍ଚରେ ତିଆରି ବଂଶୀ ।
ଡିଆରଡିଓ ନିର୍ମିତ ଲକ୍ଷ୍ୟ ଡ୍ରୋନ୍ ‘ଅପରେସନ୍ ସିନ୍ଦୁର’ର ପ୍ରକୃତ ହିରୋ । ଏହି ଡ୍ରୋନ ଶତ୍ରୁପକ୍ଷର ରାଡାର ଜୋନ୍ ଭେଦ କରି ଲଢୁଆ ବିମାନ ଭ୍ରମ ସୃଷ୍ଟି କରିଥିଲା । ଲକ୍ଷ୍ୟ ଡ୍ରୋନକୁ ପାଇଲଟ ପରିଚାଳିତ ଯୁଦ୍ଧ ବିମାନ ମଣି ପାକିସ୍ତାନ ସେନା ଆକ୍ରମଣ କରିଥିଲା । ଲକ୍ଷ୍ୟ ଡ୍ରୋନ ଭାରତର ଗୁପ୍ତଚର କ୍ଷେତ୍ରକୁ ସମୃଦ୍ଧ କରିଛି ।
ଏକ୍ସ ଗାର୍ଡ କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ଅଦୃଶ୍ୟ ଢାଲ । ଏକ୍ସ ଗାର୍ଡ ନିକଟରେ ଶତ୍ରୁପକ୍ଷର ମିଶାଇଲକୁ ଦିଗଭ୍ରଷ୍ଟ କରିବାର କ୍ଷମତା ରଖିଛି । ଶତ୍ରୁପକ୍ଷର ରାଡାରକୁ ଅନ୍ଧ କରିଦେବାର ତାକତ୍ ରଖିଛି ଏକ୍ସ ଗାର୍ଡ ।
ଭାରତ ନିର୍ମିତ ଡ୍ରୋନ୍ ଶତ୍ରୁପକ୍ଷର ଶକ୍ତିଶାଳୀ ଲଢୁଆ ବିମାନକୁ ମହାସଂକଟରେ ପକାଇବାର କ୍ଷମତା ରଖିଛି ।