କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଘେରିଲେ ୧୩ ବିରୋଧୀ ଦଳ ନେତା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ୧୩ ବିରୋଧୀ ଦଳର ନେତା ହିଂସା ଓ ଘୃଣା ଭାଷଣକୁ ନେଇ ଘଟିଥିବା ଘଟଣାକୁ କେନ୍ଦ୍ର କରି ସରକାରଙ୍କୁ ଘେରିଛନ୍ତି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୁପ ରହିବା ଆମକୁ ଚକିତ କରୁଛି ବୋଲି ବିରୋଧୀ ଦଳ କହିଛନ୍ତି ।

ଦେଶର ଅନେକ ରାଜ୍ୟରେ ସାମ୍ପ୍ରଦାୟିକ ଘଟଣା ଉପରେ ଅନେକ ପାର୍ଟିର ରାଜନେତା ସମାନ ବୟାନ ଜାରି କରିଛନ୍ତି । ଉକ୍ତ ବୟାନରେ କୁହାଯାଇଛି ଯେ ଖାଦ୍ୟପେୟ, ପୋଷାକ, ବିଶ୍ୱାସ ଓ ପୂଜା ପାର୍ବଣକୁ ବ୍ୟବହାର କରି ସମାଜକୁ ବାଣ୍ଟିବାକୁ ଚେଷ୍ଟା କରାଯାଉଛି । ଦେଶରେ ବଢୁଥିବା ଘୃଣା ଭାଷଣକୁ ନେଇ ଆମେ ଚିନ୍ତିତ କିନ୍ତୁ ଘୃଣା ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନାହିଁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ।