ଲଖିମପୁର: ଲଖିମପୁର ଡବଲ୍ ମର୍ଡର ମାମଲା ସମାଧାନ ବଦଳରେ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଉଛି । ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ତଂଟି ଚିପି ମରାଯିବା ପରେ ଟଙ୍ଗାଇ ଦିଆଯାଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟ ସୂତ୍ରରୁ ପ୍ରକାଶ ।
ଅଭିଯୁକ୍ତଙ୍କ ପରିବାର ଗଣମାଧ୍ୟମ ଆଗରେ କହିଛନ୍ତି ଯେ ସେମାନଙ୍କ ପିଲାମାନେ ସଂପୂର୍ଣ୍ଣ ନିର୍ଦ୍ଦୋଷ । ପିଲାମାନେ ବଜାରକୁ ରାସନ୍ ଆଣିବାକୁ ଯାଇଥିଲେ । ସେମାନେ କିଛି ଅପରାଧ କରିନାହାନ୍ତି; ଅପରାଧ କରିଥିଲେ ପଳାଇ ଯାଇଥାନ୍ତେ । ଘରକୁ ଫେରି ନଥାନ୍ତେ । ପୁଲିସ କହୁଛି ଯେ ଅଭିଯୁକ୍ତମାନେ ଦୁଇ ଭଉଣୀଙ୍କୁ କୌଣସି ମତେ ମନାଇ ବାଇକରେ ନେଇଯାଇଥିଲେ ।
ମାତ୍ର ମୃତ ଯୁବତୀଙ୍କ ପରିବାର କହୁଛି ଯେ ସେମାନଙ୍କ ଦୁଇ ଝିଅଙ୍କୁ ବଳପୂର୍ବକ ନିଆଯାଇଛି । ଅଭିଯୁକ୍ତ ହଫିଜୁ ରହମାନଳ ସୋହେଲ, କରିମୁଦ୍ଦିନଙ୍କ ମା’ମାନେ କହିଛନ୍ତି ଯେ ସେମାନଙ୍କ ପୁଅମାନେ ଦୋଷମୁକ୍ତ । ଦିନ ଗୋଟାଏରୁ ଚାରିଟା ପର୍ଯ୍ୟନ୍ତ ସେମାନେ ବଜାରରେ ଥିଲେ । ପୁଲିସ ସୋହେଲକୁ ରାତି ସାଢେ଼ ଦଶଟାରେ ଓ ହଫିଜୁରହମାନ ଓ କରିମୁଦ୍ଦିନକୁ ଅଧରାତିରେ ଗିରଫ କରିଛି । ତିନି ଅଭିଯୁକ୍ତ ରାଜ୍ୟ ବାହାରେ ଦିନ ମଜୁରିଆ କାମ କରନ୍ତି । ସୋହେଲ ଓ ହଫିଜୁର ହାଇଦ୍ରାବାଦ ଓ କରିମୁଦ୍ଦିନ୍ ଗୁଜରାଟରେ ଶ୍ରମିକ କାମ କରନ୍ତି ।
ଚତୁର୍ଥ ଅଭିଯୁକ୍ତ ଜୁନୈଦର ଦାଦା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ତାଙ୍କ ପୁତୁରା ନୂଆଦିଲ୍ଲୀ ଅଭିମୁଖେ ବାହାରି ଯାଇଥିଲା । ପୁଲିସ ଜୁନୈଦର ବାପାଙ୍କୁ ଥାନାକୁ ନେଇ ଜୁନୈଦକୁ ଫୋନ୍ କରି କୋଉଠି ଅଛି ପଚାରିବାକୁ ବାଧ୍ୟ କଲା । ଜୁନୈଦ ହାଇଦ୍ରାବାଦ ଯିବାର ଥିଲା । ବାପା ଫୋନ୍ କରିବାରୁ ସେ ପଲିଭିତରେ ଥିବାର କହିଥିଲା । ପୁଲିସ ପଲିଭିତ ଯାଇ ତାକୁ ଗିରଫ କଲା । ଘଟଣା ଘଟିବା ସମୟରେ ଜୁନୈଦ ବଜାରକୁ ରାସନ୍ ଆଣିବା ପାଇଁ ଯାଇଥିବାର ପରିବାର ଲୋକେ କହିଛନ୍ତି ।